ଶିଶୁ ଓ ଗର୍ଭବତୀଙ୍କୁ ମିଳୁନି ଅଣ୍ଡା, ଛତୁଆ: ଅଭିଯୋଗ ପରେ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ - ଅଙ୍ଗନବାଡି ଓ ସ୍କୁଲରେ ଦିଆଯାଉଥିବା ଖାଦ୍ୟକୁ ନେଇ ପ୍ରଶ୍ନ
ବୌଦ୍ଧ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ରର ଶିଶୁ ଓ ଗର୍ଭବତୀଙ୍କୁ ଦୀର୍ଘ ଦିନ ହେଲା ଦିଆଯାଉନି ଛତୁଆ ଓ ଅଣ୍ଡା । ଏଭଳି ସାଂଘାତିକ ଅଭିଯୋଗ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ
ବୌଦ୍ଧ: ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟରେ ଦିଆଯାଉଥିବା ଖାଦ୍ୟକୁ ନେଇ ଉଠିଛି ପ୍ରଶ୍ନ । ଦୀର୍ଘ ଦିନ ହେଲା ଗର୍ଭବତୀଙ୍କ ପାଇଁ ଉଦ୍ଦିଷ୍ଟ ଛତୁଆ ଓ ଅଙ୍ଗନବାଡ଼ି କେନ୍ଦ୍ର ପିଲାଙ୍କୁ ଅଣ୍ଡା ଦିଆଯାଇ ନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଜିଲ୍ଲାର ତିନୋଟି ବ୍ଲକର ଅନେକ ସ୍ଥାନରେ ଦୀର୍ଘ ଦିନ ହେଲା ଗର୍ଭବତୀଙ୍କ ପାଇଁ ଉଦ୍ଦିଷ୍ଟ ଛତୁଆ ଓ ଅଙ୍ଗନବାଡ଼ି ଶିଶୁଙ୍କୁ ଅଣ୍ଡା ମିଳୁନଥିବା ସାମାଜିକ କର୍ମୀ ତଥ୍ୟ ସହିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ କରିଛନ୍ତି । ଏଭଳି ସାଂଘାତିକ ଅଭିଯୋଗ ମିଳିବା ପରେ ଜିଲ୍ଲାପାଳ ତୁରନ୍ତ ଏନେଇ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ମାଗିବା ସହ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ, ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଗହମର ଅଭାବ ଦର୍ଶାଯାଇ ଛତୁଆ ଯୋଗାଣରେ ସମସ୍ୟା ରହୁଥିବା ସୂଚନା ରହିଥିଲା । କିନ୍ତୁ କାଗଜପତ୍ରରେ ସବୁକିଛି ଠିକ୍ଠାକ୍ ଚାଲିଥିବା ଦର୍ଶାଯାଇ ବାସ୍ତବରେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସାମାଜିକ କର୍ମୀ ତଥ୍ୟ ସହିତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସାମାଜିକ କର୍ମୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଜିଲ୍ଲାରେ ନିମ୍ନମାନର ଛତୁଆ ଯୋଗୁଁ ତାହା ବ୍ୟବହାର ଉପଯୋଗୀ ନହୋଇ କେବଳ ଗୋଟିଏ ପ୍ୟାକେଟ୍ ଲୁଣ ବଦଳରେ ଉକ୍ତ ଛତୁଆକୁ ବିକ୍ରି କରି ଦିଆଯାଉଛି । ଏନେଇ ସାମାଜିକ କର୍ମୀ ସିଧାସଳଖ ମହିଳା ଓ ଶିଶୁ ବିକାଶ ବିଭାଗକୁ ଦାୟୀ କରି ଏହାର ତଦନ୍ତ ଦାବି କରିଛନ୍ତି । ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମଧ୍ୟ ତାହା ଠିକରେ ମିଳୁନାହିଁ । ଏଭଳି ଅଭିଯୋଗ ପରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ତୁରନ୍ତ ଏନେଇ ବିଭାଗୀୟ ଅଧିକାରୀ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ମନରେଗା ଯୋଜନାରେ ମେସିନ କରୁଛି କାମ, ଦାଦନ ଖଟି ଯାଉଛନ୍ତି ଶ୍ରମିକ
ସେପଟେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଯୋଗାଣରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଶିକ୍ଷା ବିଭାଗ ଅଧିନରେ ତିନୋଟି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଯୋଗାଣ ପାଇଁ ଆସୁଥିବା ଚାଉଳ ଆବଶ୍ୟକ ପଚାଶ କେଜି ଓଜନ ଠାରୁ ଢେର କମ ଓଜନ ରହୁଛି । ଏସବୁ ଚାଉଳ ଯୋଗାଣ କରୁଥିବା କଣ୍ଟ୍ରାକ୍ଟର ଓ କେତେକ ବିଦ୍ୟାଳୟର ଶିକ୍ଷକଙ୍କ ଜ୍ଞାତସାରରେ ଏଭଳି ଅନିୟମିତତା ହେଉଥିବା ଅଭିଯୋଗ ହୋଇ ଆସୁଛି । ଏହାର ତଦନ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।
ଇଟିଭି ଭାରତ, ବୌଦ୍ଧ