ବୌଦ୍ଧ: ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ । ଏନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା । ତେବେ ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସହଯୋଗୀ ଡାକ୍ତରମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ରୋଗୀ ସେବାରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ବେଳେ ଜିଲ୍ଲାପାଳ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଏହା ମଧ୍ୟ ପଢନ୍ତୁ- ଭାରି ପଡିଲା ମନମୁଖୀ କାର୍ଯ୍ୟ, 3 ଇ-ରିକ୍ସା ଚାଳକ ବହିଷ୍କୃତ
ତେବେ ଜିଲ୍ଲାର ଅନ୍ୟତମ ବାଣିଜ୍ୟିକ ପେଣ୍ଠସ୍ଥଳ ବାଉଶୁଣୀ ଠାରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ବାଉଶୁଣୀ ଅଞ୍ଚଳର ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତର ଅଧିବାସୀ ରୋଗୀ ସେବା ପାଇଁ ନିର୍ଭରଶୀଳ । ହେଲେ ଗତ କିଛି ଦିନ ହେଲା ଏଠାରେ ବିଶୃଙ୍ଖଳା ଲାଗି ରହିଛି । ବିଶେଷ ଭାବରେ ଏଠାରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟ କଳାପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ବାଉଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଠିକରେ ଚିକିତ୍ସା କରାଯାଉ ନଥିବା ତଥା ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଅନ୍ୟ ଡାକ୍ତରଙ୍କୁ ବାରମ୍ବାର ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ- ନିର୍ମାଣକାରୀ ସଂସ୍ଥାର ମନମୁଖୀ କାର୍ଯ୍ୟ, ଅସନ୍ତୁଷ୍ଟ ସାଧାରଣ ଲୋକେ
ସେହିପରି ରୋଗୀଙ୍କ ପାଇଁ ମାଗଣା ଔଷଧ ଯୋଗାଣର ବ୍ୟବସ୍ଥା ଥିବା ସତ୍ତ୍ୱେ ଡାକ୍ତରଖାନାର ବାହାରୁ ଔଷଧ କିଣିବାକୁ କୁହାଯାଉଥିବା ଅଭିଯୋଗ ହୋଇଛି । ଏହାଛଡ଼ା ଏଠାରେ ଦୀର୍ଘ ବର୍ଷ ଧରି ଆଡ଼୍ଡା ଜମାଇ କିଛି ଖଳ ପ୍ରକୃତିର ଲୋକଙ୍କୁ ନେଇ ଡାକ୍ତରଖାନାରେ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି ହେଉଛି । ତେବେ ଏସବୁ ସମସ୍ୟାକୁ ନେଇ ବାଉଶୁଣୀ ଓ ଆଖପାଖର ବୁଦ୍ଧିଜୀବୀ, ସଚେତନ ନାଗରିକ ମିଳିତ ଭାବରେ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ଗତକାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମୋ ହସ୍ପିଟାଲ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏନେଇ ଜିଲ୍ଲାପାଳଙ୍କ ସମେତ ଉପଜିଲ୍ଲାପାଳ, ସିଡିଏମଓ, ଏଡିଏମଓ ତଥା ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ବାଉଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶୃଙ୍ଖଳା ସମ୍ପର୍କରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ବୌଦ୍ଧ