ବୌଦ୍ଧ: କଣ୍ଟାମାଳ ସମବାୟ ସମିତିରେ ଦେଖାଦେଇଛି ଚରମ ଅବ୍ୟବସ୍ଥା । ମାସ ମାସ ଧରି ମଣ୍ଡିରୁ ଚାଷୀଙ୍କ ଧାନ ଉଠି ପାରୁନଥିବାବେଳେ ଏବେ ଅଦିନିଆ ବର୍ଷା ଯୋଗୁଁ ଧାନ ସବୁ ଗଜା ହେବା ଆରମ୍ଭ ହୋଇଛି । ଯାହାକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି । ତେବେ ଏନେଇ ବାରମ୍ବାର ଗୁହାରି ପରେ ବି କୌଣସି ସୁଫଳ ମିଳୁନଥିବାରୁ ଚାଷୀ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ।
ଅପରପକ୍ଷେ ଯେଉଁ କେତେ ଜଣ ଚାଷୀଙ୍କ ଧାନ ବିକ୍ରି ହେଉଛି ତାର ସଠିକ୍ ପ୍ରାପ୍ୟ ସେମାନଙ୍କୁ ମିଳୁନଥିବା ଅଭିଯୋଗ ହୋଇଛି । ଏଥିପାଇଁ କେତେକ ଚାଷୀ ତ୍ରୁଟିପୂର୍ଣ୍ଣ ଟୋକନ ବ୍ୟବସ୍ଥାକୁ ଦାୟୀ କରିଥିବାବେଳେ ଅନ୍ୟ କେତେକ ସମବାୟ ବିଭାଗ ଓ ମିଲର୍ସଙ୍କୁ ଦାୟୀ କରିଛନ୍ତି । ଏନେଇ କଣ୍ଟାମାଳ ଅଞ୍ଚଳର ଚାଷୀ ବୌଦ୍ଧ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ସମବାୟ ସମିତିର ସମ୍ପାଦକ ମଣ୍ଡି ଅବ୍ୟବସ୍ଥାକୁ ଅସ୍ବୀକାର କରିଛନ୍ତି । ସେପେଟ ଆଗାମୀ ଦିନରେ ମଣ୍ଡି ସମସ୍ୟାର ସମାଧାନ ନହେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ