ବୌଦ୍ଧ: ଜିଲ୍ଲାରେ ଧାନକ୍ରୟ କମିଟିର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧାନମଣ୍ଡିରେ ଲାଗିରହିଥିବା ଅଚଳାବସ୍ଥା ଓ ଟୋକନ ଲାପ୍ସ ଉପରେ ଆଲୋଚନା ହେବା ସହ ଗଭୀର ଉଦବେଗ ପ୍ରକାଶ ପାଇଥିଲା ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଅବ୍ୟବସ୍ଥାକୁ ଦୂର କରି କିଭଳି ସୁରୁଖୁରୁରେ ଧାନକ୍ରୟ ହୋଇପାରିବ ସେନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଧାନକ୍ରୟ କମିଟିର ମୁଖ୍ୟ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା, ଉପଜିଲ୍ଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକ ଓ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନ, ମିଲର୍ସ ଆସୋସିଏସନର ସଭାପତି ଅଶୋକ କୁମାର ଅଗ୍ରୱାଲଙ୍କ ସହ କିଛି ଚାଷୀ ନେତା ସାମିଲ ହୋଇଥିଲେ । ଧାନକ୍ରୟକୁ କିଭଳି ସୁରୁଖୁରୁରେ କରାଯିବ ସେନେଇ ଆଲୋଚନା ହୋଇଥିଲା । ବିଶେଷ ଭାବରେ ବର୍ଷା ଯୋଗୁଁ ଉପୁଜିଥିବା ସମସ୍ୟା ଓ ଟୋକନ ଲାପ୍ସ ସମସ୍ୟାକୁ ଏଡାଇବା ପାଇଁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଧାନକ୍ରୟ କରିବାକୁ ନିଷ୍ପତ୍ତି ସହ ଟୋକନ ଲାପ୍ସ ହୋଇଥିବା ଚାଷୀଙ୍କ ଧାନକ୍ରୟ କରାଯିବାକୁ ନିଷ୍ପତ୍ତି ହୋଇଛି । ସେପଟେ ମିଲର୍ସ ଆସୋସିଏସନ ପକ୍ଷରୁ ମଧ୍ୟ ଏହି ବୈଠକର ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ