ସମ୍ବଲପୁର: ଦେବ୍ରୀଗଡ ଅଭୟାରଣ୍ୟରେ ଜୀବଜନ୍ତୁ ଗଣନା ପରେ ଆସିଛି ଫଳାଫଳ । ଅଭୟାରଣ୍ୟରେ ଗୋଟିଏ ମହାବଳ ବାଘ ସମେତ 82ଟି କଲରାପତରିଆ ବାଘ ଥିବା ଗଣନାରୁ ସ୍ପଷ୍ଟ ହୋଇଛି । ପ୍ରତିବର୍ଷ ଏଠାରେ ଜୀବଜନ୍ତୁ ଗଣନା ହେଉଥିବାବେଳେ ଚଳିତ ବର୍ଷ ମଧ୍ୟ ମେ ମାସ ଶେଷ ସପ୍ତାହରେ ବନ ବିଭାଗ ପକ୍ଷରୁ ଗଣନା କରାଯାଇଥିଲା । ଏଥିରେ 60 ଜଣ ତାଲିମପ୍ରାପ୍ତ ବିଶେଷଜ୍ଞ ନିୟୋଜିତ ହୋଇଥିଲେ l ଏହାସହ ଏଥର ଅନ୍ୟ ଜୀବଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇଥିବା DFO ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି ।
ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ରହିଛି ଦେବ୍ରୀଗଡ ଅଭୟାରଣ୍ୟ । ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଏହି ଅଭୟାରଣ୍ୟ ପରିବ୍ୟାପ୍ତ । ଏହି ଅଭୟାରଣ୍ୟରେ ଗୋଟିଏ ମହାବଳ ବାଘ ଥିବାବେଳେ ବହୁ ସଂଖ୍ୟକ କଲରାପତରିଆ ବାଘ, ଜଙ୍ଗଲୀ ବାରହା, ଗୟଳ, ସମ୍ବର, ଚୌସିଙ୍ଗା ଆଦି ଜୀବ ଜନ୍ତୁ ବସବାସ କରୁଛନ୍ତି । ତେଣୁ ପ୍ରତ୍ୟେକ ବର୍ଷ ଏଠାରେ ଥିବା ଜୀବଜନ୍ତୁଙ୍କ ସଂଖ୍ୟା ଆକଳନ କରିବାକୁ ଅଭୟାରଣ୍ୟରେ ଜୀବଜନ୍ତୁ ଗଣନା ହୋଇଥାଏ । ଚଳିତବର୍ଷ ବନ ବିଭାଗର ସ୍ୱତନ୍ତ୍ର ଟିମ ଦ୍ୱାରା ଏହି ଗଣନା କରାଯାଇଥିବାବେଳେ ଏହାର ଫଳାଫଳ ଆସିବା ପରେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ DFO ଅଂଶୁପ୍ରଜ୍ଞା ଦାସ ଏହି ସୂଚନା ଦେଇଛନ୍ତି ।
ଗତ ବର୍ଷ ପ୍ରତି ବର୍ଗ କିଲୋମିଟର ପିଛା 29ଟି ଜୀବ ଜନ୍ତୁ ଠାଵ ହୋଇଥିବାବେଳେ ଏଥର ଏହା ବୃଦ୍ଧି ପାଇ 46କୁ ପହଞ୍ଚିଥିବା ଜଣାପଡିଛି l ତେବେ ଏଥର ପ୍ରତି ବର୍ଗ କିଲୋମିଟରରେ ସର୍ବାଧିକ 90 ଟି Spotted Deer ଠାବ ହୋଇଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି l ଅନ୍ୟପଟେ ଏହି ଅଭୟରଣ୍ୟରେ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଏକ ଭଲ ଲକ୍ଷଣ ଅଟେ ବୋଲି ପ୍ରକାଶ କରିଛନ୍ତି ଡିଏଫଓ। ଏହାଦ୍ୱାରା ଆଗକୁ ମାଂସାଶୀ ଜୀବଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l
ଏଥିସହ ଅଭୟାରଣ୍ୟରେ ଜୀବଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ହେବା ଦ୍ବାରା ଆଗକୁ ଦେବ୍ରୀଗଡ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଡିଏଫଓ କହିଛନ୍ତି । ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ପାଇଁ ସମସ୍ୟ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଉଛି । ଅନ୍ୟପଟେ ଜୀବ ଜନ୍ତୁଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥିପାଇଁ 12ଟି ଟିମ 24 ଘଣ୍ଟା ପାଟ୍ରୋଲିଂ କରୁଛନ୍ତି । ଦିନ ବେଳା ଅଭୟାରଣ୍ୟ ଭିତରେ ପାଟ୍ରୋଲିଂ କରାଯାଉଥିବାବେଳେ ରାତିରେ ତ୍ରିସ୍ତରୀୟ ପାଟ୍ରୋଲିଂ କରାଯାଉଛି ବୋଲି DFO ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି l
ଇଟିଭି ଭାରତ, ସମ୍ବଲପୁର