ବୌଦ୍ଧ: ରାଜତନ୍ତ୍ର ଶାସନ କାଳରୁ ପ୍ରତିଷ୍ଠା ହୋଇଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଉନ୍ନତି ହୋଇପାରୁ ନାହିଁ । ଫଳରେ 7ଟି ପଞ୍ଚାୟତର 35 ହଜାରରୁ ଅଧିକ ଲୋକ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଗଡଜାତ ଶାସନ କାଳରୁ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଠାରେ ସ୍ଥାପନ ହୋଇଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଟି ସ୍ବାଧୀନତାର 73 ବର୍ଷ ପରେ ମଧ୍ୟ ଉନ୍ନତି ସାଧନ ହୋଇପାରିନାହିଁ । ଫଳରେ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି ।
![boudh district](https://etvbharatimages.akamaized.net/etvbharat/prod-images/od-boud-02-satya-harbhnga-avb-od10020_10082020160008_1008f_01536_1104.jpg)
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ହରଭଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର 7ଟି ପଞ୍ଚାୟତର 35 ହଜାର ଲୋକ ନିର୍ଭରଶୀଳ । ବ୍ଲକର ଆଢେଣୀଗଡ ଓ ପୁରୁଣାକଟକ ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ ହରଭଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ ପାଇଁ 2017 ମସିହାରୁ ମଞ୍ଜୁରୀ ମିଳିସାରିଛି ।
ଦୀର୍ଘ 3 ବର୍ଷ ବିତିଯାଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବା ସହ ଏ ସମ୍ପର୍କରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ସୋମବାର ଅଞ୍ଚଳର ଯୁବଗୋଷ୍ଠୀ ସମସ୍ତ 7ଟି ପଞ୍ଚାୟତର ଜନ ପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କ ସ୍ବୀକୃତି ହସ୍ତାକ୍ଷର ସହ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ପ୍ରଦାନ କରିଛନ୍ତି । ତୁରନ୍ତ ଏ ଦିଗରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ