ବୌଦ୍ଧ: ଜିଲ୍ଲାରେ ଦୃତ ଗତିରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବିଦ୍ୟୁତ କାଟ ଯୋଗୁଁ ଗୃହାବଦ୍ଧରେ ଥିବା ସଂକ୍ରମିତ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୌଦ୍ଧ ଜିଲ୍ଲାରେ କରୋନା ମହାମାରୀ ସମୟରେ ତିନି ତିନୋଟି ପଞ୍ଚାୟତବାସୀ ନିର୍ଭର କରୁଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ବିଦ୍ୟୁତ ସଂଯୋଗ ନଥିବାରୁ ସ୍ବାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି ।
ଘଟଣା ହେଉଛି ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଆମ୍ବଝରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ।ଏହି ଡାକ୍ତରଖାନା ଉପରେ ଆମ୍ବଝରୀ ସମେତ ଗୁନ୍ଦୁଳିଆ ଓ ବ୍ରାହ୍ମଣୀ ପାଲି ପଞ୍ଚାୟତର ହଜାର ହଜାର ଲୋକ ସ୍ବାସ୍ଥ୍ୟସେବା ପାଇଁ ନିର୍ଭରଶୀଳ ଅଟନ୍ତି । ଡାକ୍ତରଖାନାରେ ଦୀର୍ଘ ଦିନ ହେଲା ବିଦ୍ୟୁତ ସମସ୍ୟା ଯୋଗୁଁ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇ ରୋଗୀ କ୍ବାକ ହାବୁଡରେ ପଡି ଅଯଥା ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି । ସେପଟେ ମନମୁଣ୍ଡା ବିଦ୍ୟୁତ ସବଡିଭିଜନରେ ଲଗାତାର ବିଦ୍ୟୁତ କାଟ ଯୋଗୁଁ କରୋନା ସଂକ୍ରମିତ ହୋଇ ଗୃହାବଦ୍ଧରେ ଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ, ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର ସ୍ଥାନୀୟ ବିଦ୍ୟୁତ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ