ବୌଦ୍ଧ: ସରକାରୀ ଅର୍ଥର ହେଉଥିଲା ବାଟମାରଣା । କାଗଜପତ୍ରରେ ଉନ୍ନତି ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଦର୍ଶାଇ କରାଯାଉଥିଲା ହରିଲୁଟ୍ । ବୌଦ୍ଧ ସଦର ବ୍ଲକ୍ରେ ଏଭଳି ଦୁର୍ନୀତିର ଆଜି ପର୍ଦ୍ଦାଫାଶ କରିଛନ୍ତି ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ । ଆଜି ଅଚାନକ ବାଉଁଶୁଣୀ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ପହଞ୍ଚିଥିଲେ ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷ ।
ଏହି ସମୟରେ ତାଙ୍କ ସହ ବିଡିଓ, ଯନ୍ତ୍ରୀ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହିଥିଲେ । ଏହିକ୍ରମରେ ବ୍ଲକ ଅଧ୍ୟକ୍ଷ ପ୍ରଥମେ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ଥିତି ଯାଞ୍ଚ କରିଥିଲେ । ତେବେ ଏଠାରେ ପାନୀୟ ଜଳ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣା ପଡ଼ିଥିଲା । ଖାଲି ସେତିକି ନୁହେଁ ବାଉଶୁଣୀ ପଞ୍ଚାୟତରେ ବିଶ୍ରାମ ଗୃହ, ଅଚଳ ଜେନେରେଟର, ପରିମଳ ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।
23ଟି ପଞ୍ଚାୟତକୁ ନେଇ ଗଠିତ ବୌଦ୍ଧ ଜିଲ୍ଲାର ସଦର ବ୍ଲକ । ବାଉଁଶୁଣୀ ପଞ୍ଚାୟତ ଏହାର ପ୍ରାଣକେନ୍ଦ୍ର କହିଲେ ଚଳେ । ଏଥିପାଇଁ ବ୍ଲକରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ପ୍ରଶ୍ନ କରିଛନ୍ତି ବ୍ଲକ ଅଧ୍ୟକ୍ଷ । ତା ସହିତ ଆଗାମୀ ଦିନରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ବ୍ଲକ ଓ ଜିଲ୍ଲା ପ୍ରଶାସନର ସହଯୋଗ ସହିତ ସ୍ଥାନୀୟ ଲୋକଙ୍କ ପରାମର୍ଶରେ କରାଯିବ ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷ । ସେପଟେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦୁଇବର୍ଷ ଧରି ବନ୍ଦ ଥିବା ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ