ବୌଦ୍ଧ: ନିର୍ବାଚନ ପୂର୍ବରୁ କଥା ଦେଇ କଥା ରଖିଲେ ଇଞ୍ଜିନିୟର ବାବୁ । ଅପହଞ୍ଚ ଇଲାକାରେ ପହଞ୍ଚିବ ମୋବାଇଲ ଟାଓ୍ବାର ସେବା । ଯୁବ ଇଞ୍ଜିନିୟରଙ୍କ ଉଦ୍ୟମ କ୍ରମେ ବୌଦ୍ଧ ଜିଲ୍ଲାର ଦୁଇଟି ଦୁର୍ଗମ ଅଞ୍ଚଳବାସୀ ଖୁବଶୀଘ୍ର ଏହି ସେବା ପାଇବାକୁ ଯାଉଛନ୍ତି । ମୋବାଇଲ ଓ ଇଣ୍ଟରନେଟରୁ ବଞ୍ଚିତ ଥିବା ଅଞ୍ଚଳବାସୀଙ୍କୁ ଡିଜିଟାଲ ଇଣ୍ଡିଆ(Digital India ) ସହିତ ଯୋଡିବାକୁ ସ୍ଥାନୀୟ ଇଞ୍ଜିନିୟରଙ୍କ ଜଣଙ୍କ ଉଦ୍ୟମ ଜାରି ରଖିଛନ୍ତି ।
ସ୍ବାଧୀନତାର ଅନେକ ବର୍ଷ ପରେ ଓ ରାଜ୍ୟରେ ୨୦ ବର୍ଷରୁ ଅଧିକ ସମୟ ଧରି ଏକ ସ୍ଥିର ସରକାର ଥିବା ସତ୍ତ୍ବେ, ବୌଦ୍ଧ ଜିଲ୍ଲାର ୬୯ ପଞ୍ଚାୟତ ମଧ୍ୟରୁ ଅନେକ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ମୋବାଇଲ ସେବା ପହଞ୍ଚି ପାରିନାହିଁ । ଫଳରେ ଆଜି ମଧ୍ୟ ଦୁର୍ଗମ ଅଞ୍ଚଳର ଅଧିବାସୀ ମୋବାଇଲ ଓ ଇଣ୍ଟରନେଟର ସେବାରୁ ବଞ୍ଚିତ ରହିଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ବାଉଁଶୁଣୀର ଯୁବ ଇଞ୍ଜିନିୟର ତଥା ୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଇଞ୍ଜିନିୟର ରାକେଶ ତ୍ରିପାଠୀ ଉପାନ୍ତ ଶଗଡା ପଞ୍ଚାୟତର ଚାଞ୍ଚେର ଓ ତଳଗାଁ ପଞ୍ଚାୟତର ସାନଭୁରୁତା ଭଳି ଦୁଇଟି ଅପହଞ୍ଚ ଇଲାକାରେ ପ୍ରାଥମିକ ପର୍ଯ୍ୟାୟରେ ମୋବାଇଲ ଟାଓ୍ବାର ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ସେ ଜିଲ୍ଲା ପ୍ରଶାସନ ଓ ବେସରକାରୀ ମୋବାଇଲ ସେବା ସଂସ୍ଥାଙ୍କ ସହଯୋଗ ମଧ୍ୟ ପାଇଛନ୍ତି । ଏହାକୁ ନେଇ ଦୁଇ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ