ବୌଦ୍ଧ: କିଛି ଦିନର ନୀରବତା ପରେ ବୌଦ୍ଧରେ ଉପସ୍ଥିତ ଜାହିର କଲା ଲାଲ ବାହିନୀ । ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ନୁର୍ପା ଛକରେ ଲାଗିଲା ମାଓ ପୋଷ୍ଟର । କେକେବିଏନ ମାଓବାଦୀ ସଂଗଠନ ପକ୍ଷରୁ ମାଓ ପୋଷ୍ଟର ଲାଗିଥିବା ଜଣାପଡ଼ିଛି । ଗଞ୍ଜେଇ ଚାଷ ବନ୍ଦ କରିବା ପାଇଁ ପୋଷ୍ଟର ମାରି ପୋଲିସକୁ ଚେତାବନୀ ଦେଇଛନ୍ତି ମାଓବାଦୀ । ଅନ୍ୟପଟେ ଏନେଇ ସକାଳୁ ସକାଳୁ ମାଓ ପୋଷ୍ଟର ଲାଗିଥିବା ଦେଖି ଆତଙ୍କିତ ହୋଇ ପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ମାଓ ଗତିବିଧି ଦୀର୍ଘ ଦିନ ହେଲା ସକ୍ରିୟ ରହିବା ସହିତ ଧିରେ ଧିରେ ସଂଗଠିତ ହେବାରେ ଲାଗିଛି । କିଛି ବର୍ଷ ତଳେ ଜିଲ୍ଲାର ବେଆଇନ ଗଞ୍ଜେଇ ଚାଷ ସହିତ ମାଓବାଦୀଙ୍କ ସମ୍ପର୍କ ଯୋଡ଼ା ଯାଉଥିବା ବେଳେ ବର୍ତ୍ତମାନ ଏଭଳି ବେଆଇନ କାର୍ଯ୍ୟକୁ ମାଓ ସଂଗଠନ ପକ୍ଷରୁ ସମ୍ପୂର୍ଣ୍ଣ ବିରୋଧ କରାଯାଇଛି । ଗତ ମାସକ ମଧ୍ୟରେ ଦୁଇ ଦୁଇଥର ମାଓ କ୍ୟାମ୍ପ ଠାବ କରି ଏହାକୁ ଧ୍ବଂସ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାଛଡା ପାଞ୍ଚ ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାର ବାତେପଙ୍ଗା ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଆକ୍ରମଣରେ ତିନି ଜଣ ସୁରକ୍ଷାକର୍ମୀ ଆହତ ଭଳି ଘଟଣା ଘଟିଥିଲା ।
ଏହା ମଧ୍ୟ ପଢନ୍ତୁ- ଖଣି ଖନନକୁ ବିରୋଧ, କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର
ସେହିପରି ବିଭିନ୍ନ ସମୟରେ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଚାର କରୁଥିବା ପରିଲକ୍ଷିତ ହୋଇଛି । ବେଆଇନ ଗଞ୍ଜେଇ ଚାଷ ନ କରିବା, ଦେଶୀ ବିଦେଶୀ ମଦକୁ ଗ୍ରାମସଭା ମାଧ୍ୟମରେ ବିରୋଧ କରିବା ଭଳି କାର୍ଯ୍ୟ କରିବାକୁ ଆହ୍ବାନ ଦିଆଯାଇଥଲା । ବର୍ତ୍ତମାନ ଗଞ୍ଜେଇ ଚାଷ ବନ୍ଦ କରିବାକୁ ମାଓ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଗତକାଲି ଏସପି ରାଜ ପ୍ରସାଦ ମନମୁଣ୍ଡା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଆକ୍ରମଣ ଘଟଣା ସମ୍ପର୍କରେ ସୂଚନା ଦେବାର କିଛି ଘଣ୍ଟା ପରେ ଉକ୍ତ ଅଞ୍ଚଳରେ ଲାଲ ବାହିନୀର ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା । ମନମୁଣ୍ଡା ଥାନା ଅନ୍ତର୍ଗତ ନୁର୍ପା ଛକଠାରେ ରାସ୍ତା କଡ଼ରେ ୫ଟି ଭିନ୍ନ ଭିନ୍ନ ମାଓ ପୋଷ୍ଟର ରଖାଯାଇଥିବା ସ୍ଥାନୀୟ ଅଧିବାସୀ ଦେଖିବାକୁ ପାଇଥିଲେ । ଏହି ମାଓ ପୋଷ୍ଟରଗୁଡିକ କେକେବିଏନ ମାଓ ଡିଭିଜନ ପକ୍ଷରୁ ଲଗାଯାଇଥିବା ବେଳେ, ମାଓ ପୋଷ୍ଟର ଯୋଗୁଁ ମନମୁଣ୍ଡା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଇଟିଭି ଭାରତ, ବୌଦ୍ଧ