ବୌଦ୍ଧ: ବନ୍ୟା ପାଣିରେ ଉବୁଟୁବୁ ବୌଦ୍ଧ ଜିଲ୍ଲାର ଅନେକ ଗାଁ । ଗୁରୁବାର ଠାରୁ ବର୍ଷା ବନ୍ଦ ହୋଇଯାଇଥିଲେ ମଧ୍ୟ ଉପର ମୁଣ୍ଡରେ ବର୍ଷା ଯୋଗୁଁ ତେଲନଦୀ ଓ ମହାନଦୀରେ ବନ୍ୟା ଜଳ ଆସି ବିତ୍ପାତ ସୃଷ୍ଟି କରିଛି । ଯଦ୍ବାରା କଣ୍ଟାମାଳ ବ୍ଲକର ତେଲ ନଦୀକୂଳିଆ ଲୋକ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବୌଦ୍ଧ ବ୍ଲକର ମହାନଦୀ କୂଳରେ ଅବସ୍ଥିତ ଗ୍ରାମ ଗୁଡିକ ବନ୍ୟା ପାଣି ଘେରରେ ରହିଛନ୍ତି ।
ଶୁକ୍ରବାର ସକାଳୁ ମହାନଦୀର ବନ୍ୟା ଜଳ ବୃଦ୍ଧି ପାଇ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଛି । କେନ୍ଦ୍ରୀୟ ବିଦ୍ୟାଳୟ ଭିତରେ ମହାନଦୀର ବନ୍ୟା ଜଳ ପଶି ସାରିଥିବା ବେଳେ ପୁରୁଣା ଜଗନ୍ନାଥ ସଡକର ପ୍ରାୟ 8ରୁ 10ଟି ସ୍ଥାନରେ ବନ୍ୟା ଜଳ ପ୍ରବାହିତ ହୋଇ ବୌଦ୍ଧ ଧଳପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ସେହିପରି ହରଭଙ୍ଗା ବ୍ଲକର ଶତାଧିକ ଗାଁ ବନ୍ୟା ଯୋଗୁଁ ପ୍ରଭାବିତ ହେବା ଆଶଙ୍କା ରହିଥିବା ବେଳେ ମାରଦା, ଅତଳସରା, ପାଣିଘରା ,ଖଣ୍ଡି ଧଳପୁର, ହାଟଗାଁ, କୃଷ୍ଣ ମୋହନପୁର ଭଳି ଅନେକ ଗାଁ ଏବେ ବନ୍ୟା ପାଣି ଘେରରେ ରହିଛି । ଏଯାବତ ପଞ୍ଚାୟତ ପ୍ରଶାସନ ପହଞ୍ଚି ନଥିବାରୁ ସାଧାରଣ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ