ବୌଦ୍ଧ: ଜିଲ୍ଲାର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ନିକଟରେ ଥିବା ଏକ ପୁରୁଣା ବନ୍ଧର ପୁନରୁଦ୍ଧାର ସହିତ ଏଠାରେ ଏକ ପାର୍କ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ତେବେ ପାର୍କ ନିର୍ମାଣ ପାଇଁ ଜେସିବି ମାଧ୍ୟମରେ ପଞ୍ଚାୟତ ପକ୍ଷରୁ ବଡ ବଡ ଗଛ ଗୁଡିକୁ ଉପାଡି ଦିଆଯାଇଥିବା ବେଳେ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଜଙ୍ଗଲ ବିଭାଗ ବୃକ୍ଷର ସୁରକ୍ଷା ପାଇଁ ଅନେକ ଯୋଜନା କରୁଥିବା ବେଳେ ଜନ ସଚେତନତା ଅଭାବରୁ ଅନେକ ସ୍ଥାନରେ ବିକାଶ ନାମରେ ଗଛ କାଟି ନଷ୍ଟ କରାଯାଉଛି । ଜିଲ୍ଲାର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତରେ ବିଶ୍ବ ପ୍ରସିଦ୍ଧ ଚାରିଶମ୍ଭୁ ମନ୍ଦିର ନିକଟରେ ଥିବା ଏକ ପୁରୁଣା ବନ୍ଧର ପୁନରୁଦ୍ଧାର ସହିତ ଏଠାରେ ଏକ ପାର୍କ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ତେବେ ପଞ୍ଚାୟତ ପକ୍ଷରୁ ଏହି ବନ୍ଧ ହୁଡାରେ ଥିବା ବଡ ବଡ ଗଛକୁ ଜେସିବି ଲଗାଇ ଉପାଡି ଦିଆଯାଇଛି ।
ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବୃକ୍ଷର ସୁରକ୍ଷା ପାଇଁ ଅନେକ ଯୋଜନା କରାଯାଉଥିବା ବେଳେ ଏଭଳି କାହିଁକି କରାଗଲା ସେନେଇ ସ୍ଥାନୀୟ ଲୋକମାନେ ଓ ପରିବେଶବିତ ପ୍ରଶ୍ନ କରିଛନ୍ତି । ପାର୍କ ନିର୍ମାଣ କାର୍ଯ୍ୟ ସ୍ବାଗତ କରିବା ସହ ଏହି ପୁରୁଣା ଗଛଗୁଡିକ ଥାଇ ମଧ୍ୟ ଏହି ସ୍ଥାନରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇପାରିଥାନ୍ତା ବୋଲି ଚର୍ଚ୍ଚା ହୋଇଛି । ସେପଟେ ଏହି ଅଭାବନୀୟ ଘଟଣାର ତଦନ୍ତ କରି ଜଙ୍ଗଲ ବିଭାଗ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ