ବୌଦ୍ଧ: ମହାମାରୀ ରୂପ ନେବାକୁ ବସିଛି କିଡନୀ ରୋଗ । ପୁରୁଷ ଶୂନ୍ୟ ହୋଇଯାଉଛି ଗାଁ । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି ଏହି ରୋଗ । ମହାମାରୀର ରୂପ ନେଇ ଗାଁ ଗାଁରେ ଆତଙ୍କ ସୃଷ୍ଟି କରିଛି କିଡନୀ ରୋଗ । ଏହାର ପ୍ରତିକାର ପାଇଁ ବାରମ୍ବାର ଦାବି କରାଯାଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗ କେବଳ ନୀରବଦ୍ରଷ୍ଟା ସାଜିଛି । ଗାଁ ପୁରୁଷ ଶୂନ୍ୟ ହେବାକୁ ବସିଥିବା ବେଳେ ଭୟ ଆତଙ୍କରେ ବୌଦ୍ଧ ଜିଲ୍ଲାର ଜବଲପୁର ଗ୍ରାମବାସୀ ।
ଶତାଧିକ ପରିବାରକୁ ପୁରୁଷ ଶୂନ୍ୟ କରିସାରିଲାଣି କିଡନୀ ରୋଗ । ବୌଦ୍ଧ ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହି କିଡନୀ ରୋଗ ତାର କାୟା ବିସ୍ତାର କରିବାରେ ଲାଗିଛି । ଏହି ରୋଗ ପାଇଁ ମୁଖ୍ୟତଃ ପାନୀୟଜଳକୁ ଦାୟୀ କରାଯାଉଥିବା ବେଳେ ଏନେଇ ପ୍ରଶାସନିକ ସ୍ତରରେ ଏହାର ପ୍ରତିକାର ପାଇଁ ସେଭଳି କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସେପଟେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମଧ୍ୟ କେବଳ ନୀରବଦ୍ରଷ୍ଟା ସାଜିଛି । ପୁରୁଷ ଶୂନ୍ୟ ହେବାକୁ ବସିଛି ଏକାଧିକ ଗ୍ରାମ । ଅନେକ ପରିବାରରେ ବର୍ତ୍ତମାନ ଆଉ ପୁରୁଷ ନାହାନ୍ତି । କିଡନୀ ରୋଗରେ ଆକ୍ରାନ୍ତ ଶହ ଶହ ରୋଗୀଙ୍କ ମୁଣ୍ଡ ନେଇସାରିଲାଣି ମହାମାରୀ ରୂପକ କିଡନୀ ।
ଜିଲ୍ଲାର ହରଭଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଏହି କିଡନୀ ରୋଗ ବ୍ୟାପିବାରେ ଲାଗିଥିବା ବେଳେ ଶତାଧିକ ଲୋକଙ୍କ ଜୀବନ ଗଲାଣି । ହରଭଙ୍ଗା ବ୍ଲକର ଜବଲପୁର ଏଭଳି ଏକ ଗାଆଁ ଯେଉଁଠାରେ କିଡନୀ ରୋଗୀଙ୍କ ମୃତ୍ୟୁ ଯୋଗୁଁ ଗ୍ରାମଟି ପ୍ରାୟ ପୁରୁଷ ଶୂନ୍ୟ ହୋଇ ଗଲାଣି । ସେହିପରି ପାଣିଘରା, ବୁଲୁରା, ତିରଡ, କୁମାରୀ, ବରଝୁଲି ଭଳି ଅନେକ ଗ୍ରାମରେ ପାନୀୟଜଳ ସମସ୍ୟା ଯୋଗୁଁ କିଡନୀ ରୋଗ ମହାମାରୀ ଭଳି ବ୍ୟାପିବାରେ ଲାଗିଛି । ଏସବୁ ଅଞ୍ଚଳରେ ଥିବା ଶହ ଶହ ନଳକୂପରୁ ଫ୍ଲୋରାଇଡ ଭଳି ବିଷାକ୍ତ ଧାତୁ ମିଶ୍ରିତ ପାଣିକୁ ବ୍ୟବହାରରେ ଉପଯୋଗ ନକରିବାକୁ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଘୋଷଣା କରି ଏଭଳି ନଳକୂପକୁ ଚିହ୍ନଟ କରିଛି । କିନ୍ତୁ ଦିନକୁ ଦିନ କିଡନୀ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ ହରଭଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଆତଙ୍କ ଖେଳିଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ......ଆତଙ୍କ ଖେଳାଇଛି କିଡନୀ ରୋଗ: ୧୫ ବର୍ଷରେ ଗଲାଣି ୪୦ ଜୀବନ, ଭୟରେ ଗାଁ ଛାଡୁଛନ୍ତି ଲୋକେ
ଜିଲ୍ଲା ସଦର ମହକୁମା ଠାରେ କିଡନୀ ରୋଗୀଙ୍କ ପାଇଁ ଥିବା ଡାଏଲିସିସ ସେଣ୍ଟରରେ ପାଞ୍ଚ ଜଣ ରୋଗୀଙ୍କ ଚିକିତ୍ସା ପାଇଁ ସୁବିଧା ଥିବା ବେଳେ ଆହୁରି ଅଧିକ ମେସିନ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କିଡନୀ ରୋଗର କାରଣ ଓ ନିରାକରଣ ଆଜି ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୂର୍ବରୁ ବିଶେଷଜ୍ଞ ଟିମ୍ ହରଭଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳର ପରିଦର୍ଶନ କରି ମସିଆ ନାମକ ଏକ କନ୍ଦା ଦ୍ବାରା ଏଭଳି କିଡନୀ ରୋଗ ବ୍ୟାପିବାରେ ଲାଗିଥିବା ସୂଚନା ଦେଇଥିବା ବେଳେ ସ୍ଥାନୀୟ ସ୍ବେଚ୍ଛାସେବୀ କେବଳ ପାନୀୟଜଳ ଯୋଗୁଁ ଏଭଳି ରୋଗ ବ୍ୟାପୁଥିବା କହିଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାର ହରଭଙ୍ଗା ପରେ କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନକୁ କିଡନୀ ରୋଗ ବ୍ୟାପିବାରେ ଲାଗିଛି । ସେପଟେ ଜିଲ୍ଲାରେ ବେକାବୁ ହେଉଥିବା କିଡନୀ ରୋଗ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହୋଇଥିବା ସମାଜସେବୀ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ