ବୌଦ୍ଧ: ଗାଁ ରୁ ଗାଁକୁ ବ୍ୟାପୁଛି ମ୍ୟାଲେରିଆ । ଉପାନ୍ତ ଅଞ୍ଚଳରେ କରୋନା ଭୟ ଅପେକ୍ଷା କିଡନୀ ଓ ମ୍ୟାଲେରିଆ ଲୋକଙ୍କୁ ଡରାଇବାରେ ଲାଗିଲାଣି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ତଳଗାଁ, ମହାଲିକପଡା, କୁଶଙ୍ଗ, ଆଢେଣୀଗଡ ଭଳି ପଞ୍ଚାୟତର ଅନେକ ଉପାନ୍ତ ଗ୍ରାମ ଗୁଡିକରେ ପୁଣିଥରେ କିଡନୀ ଓ ମ୍ୟାଲେରିଆ ରୋଗ ବ୍ୟାପିବା ଆରମ୍ଭ ହୋଇଗଲାଣି ।
ହରଭଙ୍ଗା ବ୍ଲକର ଦଶରୁ ଉର୍ଦ୍ଧ୍ବ ପଞ୍ଚାୟତରେ ପାନୀୟଜଳର ସମସ୍ୟା ଯୋଗୁଁ କିଡନୀ ରୋଗରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ସେପଟେ ମ୍ୟାଲେରିଆ ମୁକ୍ତ ଜିଲ୍ଲା ଭାବରେ ବୌଦ୍ଧ ଜିଲ୍ଲା ଘୋଷଣା ହୋଇଥିବା ବେଳେ ଅଦ୍ୟାବଧି ହରଭଙ୍ଗା ବ୍ଲକର କେତେକ ପଞ୍ଚାୟତରେ ପ୍ରତ୍ୟେକ ବର୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି । କେବଳ ତଳଗାଁ ଭଳି ପଞ୍ଚାୟତରୁ ଗତବର୍ଷ ଦେଢ ଶହରୁ ଉର୍ଦ୍ଧ୍ବ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ 72 ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇସାରିଲେଣି ।
ଜୁଲାଇ ମାସରେ ମ୍ୟାଲେରିଆ ରୋଗ ଅଧିକ ବ୍ୟାପୁଥିବା ବେଳେ ଜନ ସଚେତନତା ଅଭାବ ତଥା ବିଶୋଧିତ ମଶାରୀ ବ୍ୟବହାର କରାଯାଉ ନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି । ଏନେଇ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଦମନ ଟିମ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ