ବୌଦ୍ଧ: କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଛି ଜଣ୍ଡିସ । ଏହି ରୋଗରେ ଅନେକ ଆକ୍ରାନ୍ତ ହେବାସହ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଜଳବାହିତ ରୋଗ ଭାବରେ ପରିଚିତ ଜଣ୍ଡିସ ଏବେ ବୌଦ୍ଧ ସହରରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଯାହା ଏବେ ସହରରେ ମହାମାରୀର ରୂପ ନେଲାଣି ।
ବୌଦ୍ଧର ଏହି ମାରାତ୍ମକ ପରିସ୍ଥିତି ପାଇଁ ଦାୟୀ ଓଡ଼ିଶାର ବଡ ନଦୀ ମହାନଦୀ । କାରଣ ରତ୍ନଗର୍ଭା, ପୂଣ୍ୟତୋୟା ତଥା ସୁମଧୁର ଜଳଧାରା ପାଇଁ ପ୍ରସିଦ୍ଧ ଏହି ମହାନଦୀ ଶୁଷ୍କ ପାଲଟିଥିବା ବେଳେ ଏହାର ଜଳଧାର ବିଶାକ୍ତ ହେବାରେ ଲାଗିଛି । ଏହାର କୂଳରେ ପଡି ରହୁଛି କୁଢକୁଢ ଅଳିଆ ଆବର୍ଜନା । ଯାହା ଜଣ୍ଡିସର ମୁଖ୍ୟ କାରଣ । ଏହାସହ ମହାନଦୀ ପଠା ଏବେ ଖୋଲା ଶୌଚାଳୟ ପାଲଟିବା ସହ ସହରର ଆବର୍ଜନା କୁଣ୍ଡ ହୋଇଗଲା ଭଳି ମନେହେଉଛି ।
ତେବେ ବୌଦ୍ଧ ସହରର ୧୭ଟି ଓ୍ବାର୍ଡ ମଧ୍ୟରୁ ପ୍ରାୟ ଚାରିଟି ଓ୍ବାର୍ଡରେ ଜଣ୍ଡିସ ଧିରେ ଧିରେ କାୟା ବିସ୍ତାର କରୁଛି । ବିଶେଷତଃ ୩ ନମ୍ବର ଓ୍ବାର୍ଡରେ ଗତ ୧୫ ଦିନ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ଲୋକ ଏହି ମାରାତ୍ମକ ଜଣ୍ଡିସରେ ଆକ୍ରାନ୍ତ ହୋଇ ବୌଦ୍ଧ, ବୁର୍ଲା ଓ କଟକ ମେଡିକାଲରୁ ଫେରି ନିଜ ଘରେ ଚିକିତ୍ସିତ ହେଉଛନ୍ତି ।
ଏହି ରୋଗରେ କେଉଟ ସାହିର ଜଣେ ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅପରିଷ୍କାର ପାଣିକୁ ଏଥିପାଇଁ ସମସ୍ତେ ଦାୟୀ କରୁଥିଲେ ମଧ୍ୟ ଏହାର ପ୍ରତିକାର କରିବାକୁ ସମସ୍ତେ ଯେମିତି ଭୁଲି ଯାଇଛନ୍ତି ।
ଏନେଇ ସ୍ବାସ୍ଥ୍ୟ ବିଭାଗ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଘଟଣାର ତଦନ୍ତ କରିବା ସହ ରକ୍ତ ନମୂନା ସଂଗ୍ରହ କରିବା କଥା ଜଣାଇଛନ୍ତି । ଜଣ୍ଡିସ ଭଳି ମହାମାରୀକୁ ଏବେ ଠାରୁ ଆୟତ୍ତ ନକଲେ ଆଗକୁ ପରିସ୍ଥିତି ଆହୁରି ଜଟିଳ ହୋଇପଡିବା ସମ୍ଭାବନା ରହିଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ