ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳସେଚନ ସୁବିଧା ଯୋଗାଇବାକୁ ଜଳସେଚନ ବିଭାଗର ସ୍ବତନ୍ତ୍ର ବ୍ଲୁ' ପ୍ରିଣ୍ଟ୍ ପ୍ରସ୍ତୁତ । ତେବେ କୃଷି ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବୌଦ୍ଧ ଜିଲ୍ଲାରେ ରହିଛି ଜଳସେଚନ ବିଭାଗର ଦୁଇଟି ପ୍ରକଳ୍ପ । ଗୋଟିଏ ବଘିଆପଡ଼ା ନିକଟସ୍ଥ ପାଲଝାରଠାରେ ସାଲୁଙ୍କୀ ସେଚ ପ୍ରକଳ୍ପ ଓ ଅନ୍ୟଟି ଶଗଡ଼ା ଠାରେ ବାଘ ସେଚ ପ୍ରକଳ୍ପ । ଉଭୟ ସେଚନ ପ୍ରକଳ୍ପ ଦ୍ବାରା ଜିଲ୍ଲାର ହରଭଙ୍ଗା ଓ ବୌଦ୍ଧ ବ୍ଲକର ହଜାର ହଜାର ଏକର ଚାଷଜମି ଜଳସେଚିତ ହୋଇ ପାରୁଛି ।
ସୂଚନା ମୁତାବକ, ବୌଦ୍ଧ ଜଳସେଚନ ବିଭାଗର ସାଲୁଙ୍କୀ ସେଚନ ପ୍ରକଳ୍ପରୁ ଉଭୟ ପାର୍ଶ୍ବରେ ଥିବା ୨୦୯୧୭ ହେକ୍ଟର ଜମିକୁ ଜଳସେଚନର ସୁବିଧା ଥିବା ବେଳେ ବାଘ ସେଚ ପ୍ରକଳ୍ପର ଉଭୟ ପାର୍ଶ୍ବରେ ୧୦୧୪୬ ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଛି । ତେଲନଦୀ କୂଳରେ ଅବସ୍ଥିତ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଉଠାଜଳସେଚନ ବିଭାଗ ବୋର୍ଓ୍ବେଲ୍ ଓ ଲିଫ୍ଟ ପଏଣ୍ଟ ନିର୍ମାଣ କରି ହିତାଧିକାରୀଙ୍କ ପଡିଆ ଜମିକୁ ଉର୍ବର କରି ସେଠାରେ ଚାଷ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିପାରିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ପଏଣ୍ଟ ମାଧ୍ୟମରେ ଚାଷୀ ଧାନ ଚାଷ ସହିତ ରବି ଫସଲ ଓ ପନିପରିବା ଚାଷ କରି ବେଶ ଆର୍ଥିକ ସ୍ବାବଲମ୍ବୀ ହୋଇ ପାରୁଛନ୍ତି । ତେଣୁ ଜିଲ୍ଲାରେ ଚାଷ କାର୍ଯ୍ୟ ପାଇଁ ଉଠାଜଳସେଚନ ବିଭାଗର ଏକ ବଡ଼ ଭୂମିକା ରହିଥିବା ବେଳେ ବର୍ତ୍ତମାନ ନୂତନ ଉଠା ଜଳସେଚନ ପଏଣ୍ଟ ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- କଣ୍ଟାମାଳରେ ସମ୍ପୂର୍ଣ୍ଣ ହେଉନି ଉଠା ଜଳସେଚନ ପ୍ରକଳ୍ପ, ଚାଷୀ ହନ୍ତସନ୍ତ
ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମୁଦାୟ ୯୧୬ଟି ଲିଫ୍ଟ ପଏଣ୍ଟ କାର୍ଯ୍ୟକ୍ଷମ ଥିବା ବେଳେ ବର୍ତ୍ତମାନ ନୂତନ ଭାବରେ ଆହୁରି ୮୧୨ଟି ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି । ଏହାଦ୍ବାରା ପୂର୍ବରୁ ୨୦୧୭୬ ହେକ୍ଟର ଜମିକୁ ଜଳସେଚନ ହୋଇ ପାରୁନଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ଜମିକୁ ଜଳସେଚନ ହୋଇ ପାରିବ । ଏହାଛଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ୩୩୮୦ ଗୋଟି ବୋର୍ଓ୍ବେଲ୍ ମାଧ୍ୟମରେ ୧୫୭୯୦ ହେକ୍ଟର ଜମିକୁ ଜଳସେଚନ ହୋଇ ପାରୁନଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ କେତେକ ସ୍ଥାନରେ ଏଭଳି ବୋର୍ଓ୍ବେଲ୍ ଅଚଳ ହୋଇ ପଡ଼ିଥିବା ବେଳେ ଅନେକ ସ୍ଥାନରେ ନୂତନ ଭାବରେ ପ୍ରତିଷ୍ଠା ହେବାକୁ ଥିବା ଉଠାସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଗାମୀ କିଛି ମାସ ମଧ୍ୟରେ ସମ୍ପୂର୍ଣ୍ଣ ତଥା ସଚଳ ହେବ ବୋଲି ଉଠା ଜଳସେଚନ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ