ବୌଦ୍ଧ: ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଏକ ନମ୍ବର ଜୋନର 7ଟି ପଞ୍ଚାୟତରେ ଅପହଞ୍ଚ ସରାକାରୀ ଯୋଜନା । ନା ପହଞ୍ଚି ପାରୁଛି ସ୍ବାସ୍ଥ୍ୟ ସେବା ନା ଅଛି ଗମନା ଗମନର ସୁବିଧା। ଅନ୍ୟପଟେ ମନରେଗା ଓ ଆବାସ ଯୋଜନାରେ ଦୁର୍ନୀତ ହୋଇଥିବା ଅଭିଯୋଗ ହୋଇଛି । ଉମା, ନାରାୟଣପ୍ରସାଦ, ବରଗାଁ, ଖମନମୁଣ୍ଡା, ଖୁଣ୍ଟିଗୋରା, କୁଳୁତାଯୋର ଓ ଘଣ୍ଟାପଡା ପଞ୍ଚାୟତରେ ଗମନାଗମନର ସୁବିଧା ନଥିବାରୁ ନାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏପରିକି 6ଟି ପଞ୍ଚାୟତର ଲୋକେ ଘଣ୍ଟପଡା ଉପରେ ନିର୍ଭରଶୀଳ। ସଦର ମହକୁମା ଉପରେ ବ୍ୟବସାୟ ଠାରୁ ନେଇ ପୋଲିସ ଥାନା ପର୍ଯ୍ୟନ୍ତ ସବୁକିଛି ରହିଥିବାରୁ ଏଠାକୁ ଯିବାକୁ ହେଲେ ପଞ୍ଚାୟତବାସୀଙ୍କୁ କସରତ କରିବାକୁ ପଡେ।
7ଟି ପଞ୍ଚାୟତର ଅନେକ ଦୁର୍ଗମ ଅଞ୍ଚଳକୁ ସବୁଦିନିଆ ରାସ୍ତା ଅଭାବରୁ ସେଠାରେ ସରକାରଙ୍କ ବିକାଶ ମୂଳକ ଯୋଜନା ସଠିକରେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଫଳରେ ଆମ୍ବୁଲାନ୍ସ ସେବା ମଧ୍ୟ ଅଧିକାଂଶ ସମୟରେ ଏଠାର ପହଞ୍ଚିବାରେ ବାଧା ଉପୁଜିଥାଏ । ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ସେସବୁ ଅଞ୍ଚଳର ଅଧିବାସୀ କ୍ବାକ, ଗୁଣି ଗାରେଡି, ତନ୍ତ୍ରମନ୍ତ୍ର ଉପରେ ନିର୍ଭରଶୀଳ । 1950 ମସିହାରେ ଘଣ୍ଟାପଡାରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି ସତ । କିନ୍ତୁ ସେଠାରେ ଦୀର୍ଘ ଦିନ ହେଲା ଜଣେ ସ୍ଥାୟୀ ଡାକ୍ତର ନାହାନ୍ତି ।
ଏହାଛଡା ଅଞ୍ଚଳରେ କୌଣସି ଗୋଟିଏ ମଧ୍ୟ ସରକାରୀ କଲେଜ ନାହିଁ । ଫଳରେ ଅଞ୍ଚଳର ହଜାରହଜାର ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଗ୍ରହଣ ପାଇଁ ଦୂର ଦୂରାନ୍ତକୁ ଯିବାକୁ ପଡୁଛି । କେତେକ ପଞ୍ଚାୟତରେ ମନରେଗା ଯୋଜନାରେ ଏଭଳି ଦୁର୍ନୀତି ଚାଲିଛି ଯେ ବ୍ଲକର ଜଣେ ଯନ୍ତ୍ରୀ ଏହାକୁ ନୀତି ଭାବରେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି । କାମଧନ୍ଦା ଅଭାବରୁ ସ୍ଥାନୀୟ ଶ୍ରମଜୀବୀମାନେ ବାଧ୍ୟ ହୋଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ସେହିପରି ଆବାସ ଯୋଜନାରେ ଦୁର୍ନୀତି ମଧ୍ୟ ଚରମ ସୀମାରେ ପହଞ୍ଚିଛି। । ଅନ୍ୟପଟେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ମଧ୍ୟ ଏସବୁ ଅଞ୍ଚଳ ବାସୀ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଅନେକ ଉପାନ୍ତ ଅଞ୍ଚଳରେ ନଳକୂପ ଅଚଳ ହୋଇ ପଡିଛି ।
ସେହିପରି ଉକ୍ତ ଅଞ୍ଚଳରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ଉମା ପଞ୍ଚାୟତର ଲତାଝରଣଠାରୁ ନେଇ ରେଘାମୁଣ୍ଡାର ଦେଢଶୁର ଭାଇବୋହୁ ପର୍ଯ୍ୟଟନ ସ୍ଥଳୀର ଉପଯୁକ୍ତ ପ୍ରଚାର ପ୍ରସାଦ ହୋଇପାରୁ ନଥିବାରୁ ଏସବୁ ପର୍ଯ୍ୟଟନ ସ୍ଥଳର ଠିକରେ ବିକାଶ ହୋଇ ପାରୁନାହିଁ । ଘଣ୍ଟାପଡା ଅଞ୍ଚଳ ବହୁବିଧ ସମସ୍ୟା ଘେରରେ ରହିଥିବାରୁ ଏସବୁ ସମସ୍ୟାର ସମାଧାନ ପାଇଁ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ