ବୌଦ୍ଧ: ମହିଳାଙ୍କ ମୃତ୍ୟୁ ପରେ ଶରୀରକୁ ମିଳିଲାନି ଚାରିକାନ୍ଧ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ମହକୁମା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ। ମହିଳାଙ୍କ ମୃତ୍ୟୁ ପରେ ଆତ୍ମୀୟ ସ୍ବଜନ ନ ଆସିବାରୁ ଚାରି କାନ୍ଧ ମିଳିଲାନି । ଶେଷରେ ଜଣେ ପୋଲିସ ଅଧିକାରୀ ମଦନ ମୋହନ ପ୍ରଧାନ ମୃତକଙ୍କ ନାବାଳକ ପୁଅ ସହ ମିଶି ଶବ ସତ୍କାର କଲେ।
ସୂଚନା ଅନୁଯାୟୀ, ମହିଳା ଜଣକ ଅନ୍ୟ ଜାତି ରେ ବିବାହ ହେତୁ ମହିଳା ନିଜ ଦୁଇ ପୁଅ ମଧ୍ୟରୁ ସାନ ପୁଅ ସହିତ ଦିନ ମଜୁରୀ କରି ଗୁଜୁରାଣ ମେଣ୍ଟାଉଥିଲେ। ତେବେ ମହିଳା ଜଣଙ୍କ ସାମାଜିକ ବାସନ୍ଦ ଭଳି ବଞ୍ଚିବା ସହିତ ଗୃପ ଋଣ ଭାରରେ ବୁଡି ରହି ଚିନ୍ତାରେ ଗତକାଲି ରାତିରେ ଆତ୍ମହତ୍ୟା କରିଥିଲେ । ତେବେ ମହିଳାଙ୍କ ମୃତ୍ୟୁ ର ଦୀର୍ଘ ସମୟ ପରେ ମଧ୍ୟ ତାଙ୍କ ଆତ୍ମୀୟ ସ୍ବଜନ ଏପରିକି ତାଙ୍କ ବଡ ପୁଅ ମଧ୍ୟ ଆସିନଥିଲେ । ଫଳରେ ମହିଳାଙ୍କ ଶବକୁ ଦୀର୍ଘ ସମୟ ଧରି ନାବାଳକ ପୁଅ ଜଗି ରହିଥିଲା । ଶେଷରେ ବୌଦ୍ଧ ଆଦର୍ଶ ଥାନାର ବରିଷ୍ଠ ଏସ ଆଇ ମଦନମୋହନ ପ୍ରଧାନ ଦେବଦୂତ ସାଜିଲେ ।ଏସ ଆଇ ବୁଟୁପାଲି ର ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସଂଗଠନ ର ସଦସ୍ୟ ଓ ପୌର ପ୍ରଶାସନ ର ସହଯୋଗରେ ମହିଳା ଙ୍କ ଶବକୁ ଦାହ କରିବାକୁ ଆଗେଇ ଆସିଲେ । ଏସ ଆଇ ମୃତ୍ୟୁବରଣ କରିଥିବା ମହିଳା ଙ୍କ ନାବାଳକ ପୁଅ ସହିତ ମିଶି ବଡ ପୁଅ ଭଳି ଶବକୁ କାନ୍ଧ ଦେବା ସହିତ ମୁଖାଗ୍ନି ଦେଇଥିଲେ ।ଏସ ଆଇ ଙ୍କ ଏଭଳି କାର୍ଯ୍ୟ କୁ ନେଇ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
ତେବେ ଏନେଇ ସ୍ବେଚ୍ଛାସେବୀ ରମେଶ ପ୍ରଧାନ କହିଛନ୍ତି, "ମହିଳା ଜଣେ ଆତ୍ମହତ୍ୟା କରିଥିବା ଶୁଣି ଆମେ ସେଠାରେ ଯାଇ ପହଞ୍ଚିଥିଲୁ। ସେଠାରେ ମହିଳାଙ୍କ ମୃତଦେହ ଗଛରେ ଝୁଲିକି ଅଛି। ବୌଦ୍ଧ ଥାନା ଓ ଏନଏସି ସହଯୋଗରେ ପହଞ୍ଚି ସେଠାରେ ଦେଖିଲା ବେଳକୁ ମହିଳା ଜଣକ ଅନ୍ୟ ଜାତିରେ ବିବାହ କରିଥିବାରୁ ଭାଇ ଭାଉଣୀ କେହି ସାହାଯ୍ୟ କରିବାକୁ ରହିଲେନି। ଏନେଇ ଆମେ କିଛି ଉପାୟ ନ ପାଇ ସ୍ବେଚ୍ଛାସେବୀ ମେମ୍ବର ମାନେ ଓ ବୌଦ୍ଧ ଏନଏସି ଓ ଥାନାର ଜଣେ ଅଫିସରଙ୍କ ସାହାଯ୍ୟରେ ଶବ ସତ୍କାର କଲୁ ।"
ଇଟିଭି ଭାରତ, ବୌଦ୍ଧ