ବୌଦ୍ଧ: ଦେଶ ପାଇଁ ସର୍ବସ୍ବ ସାରିଦେଲେ , ହେଲ ଆଜି ଏମାନଙ୍କ ପରିବାର ଆଲୋଡା । ଗୋରା ବିରୋଧି ସଂଗ୍ରାମରେ ବୌଦ୍ଧ ଜିଲ୍ଲା ଗୋଛାପଡା ପଞ୍ଚାୟତର ବନପାଲି ଗ୍ରାମର ଯୋଗଦାନ ଅତୁଳନୀୟ । ଏଠାକାର ବହୁ ବୀର ସନ୍ତାନ ଦେଶ ପ୍ରେମର ବହ୍ନିରେ ନିଜକୁ ଝାସ ଦେଇଥିଲେ । କିନ୍ତୁ ଏମାନଙ୍କ ଗାଁ ଓ ପରିବାର ଏବେ ଅଲୋଡା ।
ବୌଦ୍ଧ ଏକ ଗଡଜାତ ଅଞ୍ଚଳ ହୋଇଥିବାରୁ ପ୍ରଜାମଣ୍ଡଳ ବା ଗଡଜାତ ଆନ୍ଦୋଳନ ଭାବେ ସ୍ବାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା । ପ୍ରଜାମଣ୍ଡଳର ମୁଖ୍ୟାଳୟ ବଘିଆବାହାଲ ଠାରେ ସଂଗ୍ରାମୀ ଦଶରଥ ପ୍ରଧାନ, ଭଗବାନ ପଣ୍ଡା, ବିଦ୍ୟାଧର ତ୍ରିପାଠୀ, ଦୁର୍ଗା ପଣ୍ଡା, ଦାମୋଦର ଦଣ୍ଡୁଆସି,ପ୍ରହଲ୍ଲାଦ ବିଶି,ପ୍ରେମ ଶଙ୍କର ପଟ୍ଟନାୟକ, ଚକ୍ରଧର ମିଶ୍ର, ଶଶୀ ଶେଖର ମିଶ୍ର, ଗୌର ଯୋଷୀ,ଚିନ୍ତାମଣି ତ୍ରିପାଠୀ ପ୍ରମୁଖଙ୍କ ନେତୃତ୍ବରେ ବ୍ରିଟିଶ ବିରୋଧୀ ଆନ୍ଦୋଳନ ବ୍ୟାପିବାରେ ଲାଗିଥିଲା ।
ଏହି କ୍ରମରେ ବନପାଲି ଗ୍ରାମ ଠାରେ ଦେଶପ୍ରେମର ବହ୍ନି କୁ ସଦା ଉଜ୍ଜିବୀତ ରଖିବାକୁ ୧୯୪୨ ରେ ସ୍ଥାପନ କରାଯାଇଥିଲା ଭାରତ ମାତାଙ୍କ ପୂର୍ଣ୍ଣ ଅବୟବ। ଏଠାରେ ରାମଧୂନ ଗାନ ସହ ଦେଶ ମାତୃକାକୁ ମୁକ୍ତିର ରଣନୀତି ପାଇଁ ଆଲୋଚନା ଓ ଗୁପ୍ତ ବୈଠକ ଅନୁଷ୍ଠିତ ହେଉଥିଲା । ଏଥିରେ ବାଉଁଶୁଣୀ ଓ ଗୋଛାପଡା ଅଞ୍ଚଳର ବହୁ ଉତ୍ସାହୀ ସଂଗ୍ରାମୀ ଯୁବକ ମଧ୍ୟ ଯୋଗ ଦେଉଥିଲେ ।
ବନପାଲି ଓ ବାଉଁଶୁଣୀ ଗ୍ରାମର ଯୁବକ ମାନେ ବ୍ରିଟିଶ ସରକାରଙ୍କ ଜଙ୍ଗଲ ଆଇନକୁ ନ ମାନି ବ୍ୟାପକ ଆନ୍ଦୋଳନ କରିଥିବାରୁ ଜେଲଦଣ୍ଡ ଓ ଲାଠି ମାଡ ଭୋଗିଥିଲେ । ବନପାଲି ଗ୍ରାମର ଡମଣ ମେହେର ଓ ଶ୍ରୀପତି ମେହେରଙ୍କ ତ୍ୟାଗ ଓ ବଳିଦାନର କଥା ଆଜି ମଧ୍ୟ ଲୋକ ମୁଖରେ ମୁଖସ୍ଥ । ଏହି ସ୍ବାଧନତା ଯୁଦ୍ଧରେ କଇତି ମେହେର ଓ ବୃନ୍ଦାବତୀ ମେହେରଙ୍କ ଭଳି ମହିଳା ସଂଗ୍ରାମୀ ମଧ୍ୟ ପଛରେ ପଡିନଥିଲେ । ବନପାଲି ଓ ବାଉଁଶୁଣୀର ସଂଗ୍ରାମୀମାନେ ମିଶି ଯେଉଁ ଭାରତ ମାତା ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ତାହା ଆଜି ବି ଗ୍ରାମବାସୀ ଓ ସଂଗ୍ରାମୀ ଙ୍କ ଦାୟାଦଙ୍କ ଦ୍ବାରା ପୂଜା ପାଉଛନ୍ତି ।
ଦେଶ ସ୍ବାଧିନ ହେଲା ସତ । ହେଲେ ଆଜି ବି ଅବହେଳିତ , ନିଷ୍ପେଷିତ ଓ ପଦଦଳିତ ହୋଇ ରହିଯାଇଛନ୍ତି ସଂଗ୍ରାମୀଙ୍କ ପରିବାର ଓ ସେମାନଙ୍କ ମାଟି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ