ବୌଦ୍ଧ: କୂଳ ଲଙ୍ଘୁଛି ମହାନଦୀ । ମହାନଦୀ କୂଳରେ ଅବସ୍ଥିତ କିଛି ଗ୍ରାମ ପୂର୍ବରୁ ନଦୀ ଗର୍ଭରେ ଲୀନ ହୋଇ ସାରିଥିବା ବେଳେ ଆଉ କିଛି ଗ୍ରାମ ପ୍ରତି ଦେଖାଦେଇଛି ବିପଦ। ଜଳ ସମ୍ପଦ ବିଭାଗର ଅପାରଗତାକୁ ଏଥିପାଇଁ ଦାୟୀ କରାଯାଇଥିବା ବେଳେ ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶୈବପୀଠ ନଦୀ ଗର୍ଭରେ ଲୀନ ହେବା ଅପେକ୍ଷାରେ ରହିଛି ।
ଜିଲ୍ଲାର ମନମୁଣ୍ଡା, ଦହ୍ୟା, ବାଉଁଶୁଣୀ, ତେଲିବନ୍ଧ, ବହିରା,ଖୁଣ୍ଟବନ୍ଧ ଭଳି ଦଶରୁ ଉର୍ଦ୍ଧ୍ବ ପଞ୍ଚାୟତର ଅନେକ ନଦୀ କୂଳିଆ ଗାଁ ମହାନଦୀ ଖଣ୍ଡି ଖାଉଥିବାରୁ ଆତଙ୍କିତ ଅବସ୍ଥାରେ ଲୋକେ ଅଛନ୍ତି । ଜଳ ସମ୍ପଦ ବିଭାଗର ଅପାରଗତା ତଥା ଅଦୂରଦୃଷ୍ଟି ଯୋଗୁଁ ନଦୀ କୂଳିଆ ଗାଁର ଏଭଳି ଅବସ୍ଥା ହୋଇଥିବା ଚର୍ଚ୍ଚା ହେଉଛି । ସେପଟେ ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶୈବପୀଠ ବାଉଁଶୁଣୀର ଭୂବନେଶ୍ୱର ମନ୍ଦିର ଏବେ ନଦୀ ଖଣ୍ଡି ଖାଇ ନଦୀ ପଟକୁ ଢଳି ରହିଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ନିକଟରେ ଏକ ପଥର ଓ୍ବାଲ ନିର୍ମାଣ କରାଯାଇଥିଲା । କିନ୍ତୁ ଉକ୍ତ ପଥର ଓ୍ବାଲ ମଧ୍ୟ ଏବେ ଭୂଷୁଡି ଯିବାକୁ ବସି ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ