ବୌଦ୍ଧ: ପୁରୁଣାକଟକ ଥାନା ଅନ୍ତର୍ଗତ ବୁରୁବୁଡା ଗ୍ରାମର ଦୁଇ ଆଦିବାସୀ ଗୋଷ୍ଠୀ ବିବାଦ ଚରମ ଶିଖରରେ ପହଞ୍ଚିଛି । ପୂର୍ବ ଶତ୍ରୁତା ଶନିବାର ସନ୍ଧ୍ୟାରେ ନେଇଛି ଉଗ୍ରରୂପ । ପ୍ରାୟ ପନ୍ଦରରୁ ଉର୍ଦ୍ଧ୍ବ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ମିଳିତ ହୋଇ ବାପ ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ସନ୍ଧ୍ୟା ପ୍ରାୟ 6ଟା ବେଳେ ଏଭଳି ନୃଶଂସ କାଣ୍ଡ ଘଟିଥିଲା । ବିଭିନ୍ନ ମାରଣାସ୍ତ୍ରରେ ବାପ-ପୁଅକୁ ଆକ୍ରମଣ ଅଭିଯୋଗ ହୋଇଛି । ତେବେ ଉଭୟ ବାପପୁଅଙ୍କୁ ଉଦ୍ଧାର କରିବାକୁ କୌଣସି ଲୋକ ଆଗକୁ ଆସିନଥିଲେ । ଗାଁରେ କେବଳ ଦୁଇଟି ଆଦିବାସୀ ପରିବାର ରହୁଥିବା ଯୋଗୁଁ ଏଭଳି ସଂଘବଦ୍ଧ ଆକ୍ରମଣରୁ କେହି ରକ୍ଷା କରିପାରିନଥିଲେ ।
କୌଣସି ପୂର୍ବ ଶତ୍ରୁତାରୁ ଏଭଳି ଅଘଟଣ ଆଶଙ୍କା କରାଯାଉଛି । ଉଭୟ ବାପ ଓ ପୁଅଙ୍କୁ ପ୍ରଥମେ ପୁରୁଣାକଟକ ଡାକ୍ତରଖାନାରେ ଓ ପରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । କିନ୍ତୁ ଉଭୟଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତରିତ କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
ଘଟଣା ସମ୍ପର୍କରେ ରାତି 11ଟାରେ ଆହତଙ୍କ ପରିବାର ପକ୍ଷରୁ ବୌଦ୍ଧ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ