ବୌଦ୍ଧ: ସାର ନ ମିଳିବାରୁ ତାତିଲେ ବୌଦ୍ଧ ଜିଲ୍ଲାର 4ଟି ପଞ୍ଚାୟତର ଚାଷୀ । ଗତ ମାସେ ହେଲା ଚାଷୀ ସମବାୟ ସମିତି, ଏଆରସିଏସ ଓ କୃଷି କାର୍ଯ୍ୟାଳୟକୁ ୟୁରିଆ ସାର ପାଇଁ ଦୌଡି ଦୌଡି ନୟାନ୍ତ ହେବା ପରେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଏଆରସିଏସ ଓ କୃଷି ଅଧିକାରୀଙ୍କ ଅପାରଗତାକୁ ଦାୟୀ କରିଛନ୍ତି ଉତ୍ୟକ୍ତ ଚାଷୀ ।
ଜିଲ୍ଲାର ଅଧିକାରୀମାନେ ଚାଷୀଙ୍କୁ ସାର ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଗତ ଦୁଇ ସପ୍ତାହ ମଧ୍ୟରେ ଉତ୍ୟକ୍ତ ଚାଷୀ ୟୁରିଆ ସାର ପାଇଁ ଦୁଇ ଥର କୃଷି କାର୍ଯ୍ୟାଳୟରେ ତାଲା ପକାଇବା ସହ ଏଆରସିଏସ କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରିଛନ୍ତି ।
ମାତ୍ର କୌଣସି ସୁଫଳ ନମିଳିବାରୁ ଗୁରୁବାର ଚାରିଟି ଗ୍ରାମର ଉତ୍ୟକ୍ତ ଚାଷୀ ବାମଣ୍ଡା ଠାରେ, ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ସେପଟେ କଣ୍ଟାମାଳ ବ୍ଲକ ଲମ୍ବସରୀ ସମବାୟ ସମିତିରେ ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଫଳରେ ସ୍ଥାନୀୟ ଚାଷୀ ପ୍ୟାକ୍ସ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ବାମଣ୍ଡା ଠାରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଅବରୋଧ ପରେ ହରଭଙ୍ଗା ବିଡିଓ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା ।
ତେବେ ଚାଷୀକୁ ସାଧାରଣ ସାର ଯୋଗାଇବାରେ ବିଫଳ ହୋଇଥିବା ଅପାରଗ କୃଷି ଅଧିକାରୀ ଓ ଏଆରସିଏସଙ୍କୁ ତୁରନ୍ତ ଜିଲ୍ଲାରୁ ବିଦା କରାନଗଲେ ଆଗାମୀ ଦିନରେ ବିଭିନ୍ନ ସଂଗଠନ ଓ ଚାଷୀ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ