ବୌଦ୍ଧ: ରବିଧାନ କ୍ରୟ ପାଇଁ ଯୋଗାଣ ଅଧିକାରୀ ଓ ସମବାୟ ଅଧିକାରୀଙ୍କୁ ମୁଣ୍ଡିଆ ମାରିଲେ ଚାଷୀ । ଜିଲ୍ଲାରେ ରବିଧାନ କ୍ରୟରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆଜି(ଶୁକ୍ରବାର) ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।
ବୌଦ୍ଧ ଜିଲ୍ଲାର ଖୁଣ୍ଟବନ୍ଧ, ତେଲିବନ୍ଧ, ମନମୁଣ୍ଡା,ସିମିଳିପଦର, କୁଳୁତାଯୋର ଭଳି ସମବାୟ ସମିତିରେ ହଜାର ହଜାର ଧାନ ବସ୍ତା ପଡି ରହିଛି । ଗତକାଲି ସିମିଳିପଦର ଅଞ୍ଚଳର ଚାଷୀ ସେଠାରେ ଧାନକ୍ରୟରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇବା ସହ ଖଟଖଟିଆ ଠାରେ ରାଜରାସ୍ତାକୁ ଅବରୋଧ କରିଥିଲେ । ତେବେ ଏଥିରେ କୌଣସି ସୁଫଳ ନ ମିଳିବାରୁ ଆଜି ସିମିଳିପଦର ଅଞ୍ଚଳର ଶତାଧିକ ଚାଷୀ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବିକ୍ରି ପାଇଁ ଦାବି କରି ଦୀର୍ଘ ସମୟ ଧରି ଧାରଣାରେ ବସି ରହିଥିଲେ ।
ଚାଷୀଙ୍କ ସହିତ ଆଲୋଚନା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଓ ସମବାୟ ଅଧିକାରୀ ପହଞ୍ଚି ଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ସୂଚନା ମିଳିଛି । ସେପଟେ ସିମିଳିପଦର ପ୍ୟାକ୍ସ ରେ ଅନିୟମିତତା ହୋଇଥିବା ନେଇ ପ୍ରାଥମିକ ସ୍ତରରେ ଜଣାପଡି ଥିବାରୁ ସେଠାରେ କାର୍ଯ୍ୟରତ ସମବାୟ କର୍ମଚାରୀ ଓ ଡିଇଓଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ଅଧିକାରୀ ଈଟିଭି ଭାରତକୁ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ