ବୌଦ୍ଧ: ଆଖି ବୁଜିଲା ପୋଷା ଦନ୍ତାହାତୀ । ନିଜ ମାଲିକ ଠାରୁ ଅଲଗା ହୋଇ ଏଣେ ତେଣେ ଖାଦ୍ୟ ଅନ୍ୱେଷଣରେ ବୁଲୁଥିଲା । କେତେବେଳେ ଜଙ୍ଗଲ ତ ଆଉ କେତେବେଳେ ଗାଁ ମୁହାଁ ହୋଇ ପଡୁଥିବା ଦନ୍ତାହାତୀକୁ ଉଦ୍ଧାର ନାଁରେ ଟ୍ରାଙ୍କୁଲାଇଜର ଦେଇ ଥଇଥାନ କେନ୍ଦ୍ରକୁ ପଠାଗଲା । ମାତ୍ର କିଛି ଘଣ୍ଟା ପରେ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ମଣିଷର ଚିନ୍ତାଧାରା ଓ ସମ୍ବେଦନଶୀଳତା ଅଭାବରୁ ପୁଣି ଏକ ଦନ୍ତାହାତୀ ଆଖି ବୁଜିଲା । ଗୋଟିଏ ଦିନ ପୂର୍ବରୁ ଗୋଟିଏ ପୋଷା ଦନ୍ତାହାତୀକୁ ଉଦ୍ଧାର ନାଁରେ ଟ୍ରାଙ୍କୁଲାଇଜର ଦେଇ ଥଇଥାନ କେନ୍ଦ୍ରକୁ ପଠାଇ ବନ ବିଭାଗ ବାହାବାହା ନେଉଥିବା ସମୟରେ ଦନ୍ତାହାତୀର ଦୁଃଖଦ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ଷ ଶେଷ ସମୟରେ ନିଜ ମାଲିକକୁ ଖୋଜି ଖୋଜି ଜଙ୍ଗଲ, ରାସ୍ତା ଘାଟ, ଗାଁ ଠାରୁ ସହର ସବୁଆଡେ ବୁଲୁଥିଲା ପୋଷା ଦନ୍ତାହାତୀ । ତେବେ ରବିବାର ଉକ୍ତ ଦନ୍ତାହାତୀର ଦୁଃଖଦ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ହେବ ଏକ ପୋଷା ଦନ୍ତାହାତୀ ନିଜ ମାଲିକ ତଥା ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ସ୍ଥାନରେ ବୁଲୁଥିଲା । ପୂର୍ବରୁ ଉକ୍ତ ଦନ୍ତାହାତୀ ସୋନପୁର ଜିଲ୍ଲାରେ ଜଣେ ମାହୁନ୍ତ ସଙ୍ଗେ ବୁଲୁଥିବା ସମୟରେ ମାହୁନ୍ତ ନିକଟରେ କିଛି ଗଞ୍ଜେଇ ଥିବା ଅଭିଯୋଗରେ ସ୍ଥାନୀୟ ପୋଲିସ ମାହୁନ୍ତକୁ ଗିରଫ କରିଥିଲା । ତେବେ ମାହୁନ୍ତକୁ ଖୋଜି ଖୋଜି ଦନ୍ତାହାତୀଟି ବୌଦ୍ଧ ଜିଲ୍ଲା ଆଡକୁ ଆସି ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲୁଥିଲା । କେତେବେଳେ ଖାଦ୍ୟ ପାଇଁ କାହାର ଜମିବାଡ଼ିରୁ ଫସଲ ଖାଇବା ସହିତ ଦଳାଚକଟା ଦ୍ବାରା ଫସଲ ନଷ୍ଟ ମଧ୍ୟ ହେଉଥିଲା । ପରବର୍ତ୍ତୀ ସମୟରେ ଉକ୍ତ ପୋଷା ଦନ୍ତାହାତୀ ନିଖୋଜ ହୋଇଯାଇଥିଲା । ବୌଦ୍ଧ ବନ ବିଭାଗ ହାତୀ ସମ୍ପର୍କରେ କୌଣସି ସଠିକ୍ ସୂଚନା ପାଉନଥିଲି । ଶେଷରେ ଉକ୍ତ ଦନ୍ତାହାତୀ କଣ୍ଟାମାଳ ବନାଞ୍ଚଳର ଥିବା ଜଣାପଡିଥିଲା ।
ଏହା ମଧ୍ୟ ପଢ଼ନ୍ତୁ....ବୌଦ୍ଧରୁ କପିଳାଶକୁ ଗଲା ନରହନ୍ତା ଦନ୍ତା
ଗତ ପାଞ୍ଚ ଦିନ ତଳେ ଉକ୍ତ ପୋଷା ଦନ୍ତାହାତୀ ବରଗାଁ ପଞ୍ଚାୟତର କେତେକ ସ୍ଥାନରେ ଉତ୍ପାତ କରୁଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ଶେଷରେ ବୌଦ୍ଧ ବନ ବିଭାଗ ଓ ଏକ ଟ୍ରାଙ୍କୁଲାଇଜର ଟିମ୍ ଦନ୍ତାହାତୀକୁ ଲୁଇସିଂ ନିକଟରେ ଟ୍ରାଙ୍କୁଲାଇଜ କରି ଏକ ହାଇଓ୍ବାରେ କପିଳାସ ହାତୀ ଥଇଥାନ କେନ୍ଦ୍ରକୁ ପଠାଇ ଦେଇଥିଲେ । ଦନ୍ତାହାତୀର ଦୋଷ ଏତିକି ଥିଲା ଯେ, ସେ ତାର ମାହୁନ୍ତ ଓ ଖାଦ୍ୟ ଖୋଜିବାରେ ଲାଗିଥିଲା । ଉକ୍ତ ଦନ୍ତାହାତୀର ଟ୍ରାଙ୍କୁଲାଇଜରର କିଛି ଘଣ୍ଟା ପରେ ଢେଙ୍କାନାଳ ଜିଲ୍ଲା କପିଳାସକୁ ନିଆଯାଇଥିବା ବେଳେ ସେଠାରେ ହାତୀଟିର ଅତ୍ୟନ୍ତ ଦୁଃଖଦାୟକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜାତୀୟ ଐତିହ୍ୟ ପ୍ରାଣୀ ହାତୀର ଏଭଳି ମୃତ୍ୟୁ କୁନେଇ ପରିବେଶପ୍ରେମୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଦନ୍ତାହାତୀର ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା ତଥା ଏଥିପାଇଁ କିଏ ଦାୟୀ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହୋଇଛି ।
ଇଟିଭି ଭାରତ, ବୌଦ୍ଧ