ବୌଦ୍ଧ: ଜିଲ୍ଲାର ବାଉଁଶୁଣୀ ଅଞ୍ଚଳରେ ଚାଞ୍ଚଲ୍ୟ । ନକଲି କୀଟନାଶକ ଔଷଧ ଚାଷୀଙ୍କୁ ବିକ୍ରି କରୁଥିବା ବେଳେ ପୋଲିସ ହାବୁଡ଼ରେ ପଡିଲା ବେପାରୀ । ଦୀର୍ଘ ଦିନରୁ ଚାଲିଥିବା ଫର୍ଟେରା ନାମକ କମ୍ପାନୀର କୀଟନାଶକ ଔଷଧକୁ ନକଲ କରି ବିକ୍ରି କରୁଥିବା ବେପାରୀଙ୍କ ଦୋକାନ ରେ ଚଢ଼ାଉ କରାଯାଇଛି ।
ନକଲି କୀଟନାଶକ ଔଷଧକୁ ଜବତ କରିବା ସହ ବେପାରୀକୁ ଗିରଫ କରାଯାଇଛି। ଏନେଇ ଜିଲ୍ଲାର ଅନ୍ୟ ସ୍ଥାନରେ ମଧ୍ୟ ଚଢ଼ାଉ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ତେବେ ଏଭଳି କାର୍ଯ୍ୟ ଚାଷୀଙ୍କୁ ବିଶ୍ବାସଘାତକ ଭଳି ହୋଇଥିବା ବେଳେ ଏହାର ଦାୟିତ୍ବରେ ଥିବା କୃଷି ବିଭାଗ କିଭଳି ଜାଣି ପାରିଲା ନାହିଁ ସେନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।
ଏହା ପଛରେ ଏକ ବଡ ଧରଣର ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି । ଏ ସମ୍ପର୍କରେ ଅଧିକ ତଦନ୍ତ କରାଗଲେ ଅନେକ ତଥ୍ୟ ସମ୍ମୁଖକୁ ଆସିପାରିବ ବୋଲି କୁହାଯାଉଛି । ତେବେ ବୌଦ୍ଧ ପୋଲିସର ଏହି ଚଢ଼ାଉ ପରେ ଅନ୍ୟ ନକଲି ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ