ବୌଦ୍ଧ : ପ୍ରବାଦ ପୁରୁଷ ତଥା ଆଧୁନିକ ଓଡିଶାର ନିର୍ମାତା ବିଜୁ ପଟ୍ଟନାୟକଙ୍କୁ ଦଳଗତ ନିର୍ବିଶେଷରେ ସମସ୍ତେ ସ୍ମରଣ କରିଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କୁ ଜିଲ୍ଲାର ନିର୍ମାତା ଭାବରେ ସ୍ମରଣ କରାଯାଇଛି ।
ବିଜୁବାବୁ ମହିଳାଙ୍କୁ ରାଜନୀତିରେ ସଂରକ୍ଷଣ ବ୍ୟବସ୍ଥା ଠାରୁ ଆରମ୍ଭ କରି ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ପର୍ଯ୍ୟନ୍ତ ଯେଉଁ ପଦକ୍ଷେପ ଗ୍ରହଣ କରିଥିଲେ ତାହା ତାଙ୍କୁ ଅମର କରି ରଖିବ । ତେବେ ବିଜୁ ବାବୁଙ୍କ ବୌଦ୍ଧ ଜିଲ୍ଲା ପ୍ରତି ରହିଥିଲା ସ୍ବତନ୍ତ୍ର ଆକର୍ଷଣ । ବୌଦ୍ଧକୁ ଏକ ସ୍ବତନ୍ତ୍ର ଜିଲ୍ଲା ପ୍ରଦାନ ସହ ବିଜୁ ବାବୁଙ୍କ ବାଘନଦୀ କୂଳରେ ଅବସ୍ଥିତ ବାଉଁଶୁଣୀ ଡାକ ବଙ୍ଗଳା ପ୍ରତି ଅହେତୁକ ଦୁର୍ବଳତା ରହିଥିଲା ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଉକ୍ତ ବଙ୍ଗଳା ସହ ତେଲିବନ୍ଧ ଓ ବୌଦ୍ଧର ବଙ୍ଗଳା ମଧ୍ୟ ବିଜୁ ବାବୁଙ୍କ ଅନ୍ୟତମ ପ୍ରିୟ ବଙ୍ଗଳା ଥିଲା । ତେବେ ଏହି ବଙ୍ଗଳା ଗୁଡିକ ଅବହେଳିତ ଅବସ୍ଥାରେ ପଡି ରହିଛି ।
ଆଜି ସେହି ପ୍ରବାଦ ପୁରୁଷଙ୍କ ଜନ୍ମ ଜୟନ୍ତୀରେ 1961 ମସିହାରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ନିକଟତର ଥିବା ବୌଦ୍ଧର ପୂର୍ବତନ ବିଧାୟକ ବିଜୁ ବାବୁଙ୍କୁ ସ୍ମରଣ କରି ବିଜୁ ବାବୁଙ୍କୁ କୌଣସି ରାଜନୈତିକ ଦଳରେ ସୀମିତ ନରଖିବାକୁ ମତ ପ୍ରକାଶ କରିଛନ୍ତି । ଏଥିସହିତ ଏହି ମହାନ ଜନ ନାୟକଙ୍କୁ ମରଣୋତ୍ତର ଭାବରେ ଭାରତ ରତ୍ନ ପ୍ରଦାନ କରାଯିବାକୁ ଦଲାଲ ଇଟିଭି ଭାରତ ମାଧ୍ୟମରେ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ