ବୌଦ୍ଧ: ଚୈତ୍ରମାସ ଆରମ୍ଭରୁ ଦୁଲୁକୁଛି ବୌଦ୍ଧ ଜିଲ୍ଲା । ଦଣ୍ଡ ନାଚର ଉନ୍ମେଷ ଭୂମିରେ ଆନନ୍ଦ ଉଲ୍ଲାସର ସହିତ ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା । ଚୈତ୍ରମାସର ପ୍ରଚଣ୍ଡ ଖରାରେ ମାନସିକ ଧାରୀ ଦଣ୍ଡୁଆ ଓ ତେର ଭୋକ୍ତାଙ୍କ ଦ୍ବାରା ଷୋହଳ ଖାଡି ବାଦ୍ୟରେ ଷୋହଳ ସୁଆଙ୍ଗ ନୃତ୍ୟ ବେଶ ଚିତ୍ତାକର୍ଷକ ହୋଇଛି ।
ଜିଲ୍ଲାର ଶତାଧିକ ଶୈବପୀଠରୁ ଏହି ଦଣ୍ଡ ଦଳ ଗୁଡିକ ଉଦଯୋଗ ବା ଆରମ୍ଭ ହୋଇଥିବା ବେଳେ ମାନସିକଧାରୀ ଦଣ୍ଡୁଆମାନେ ବିଭିନ୍ନ ସ୍ଥାନରେ ପହଞ୍ଚି ଶ୍ରଦ୍ଧାଳୁଙ୍କ ଗୃହ ସମ୍ମୁଖରେ ଦଣ୍ଡ ନୃତ୍ୟ ପରିବେଷଣ କରୁଛନ୍ତି । ଚତୁର୍ଦ୍ଦିଗ ଋଷିପୁତ୍ରଙ୍କ ଡାକରେ ତଥା କଳାରୁଦ୍ର ମଣିଙ୍କୁ ଭଜେ ଡାକରେ କମ୍ପମାନ ହେଉଥିବା ବେଳେ ଅନେକ ସ୍ଥାନରେ କାଳସୀ ଲାଗି ହୋଇ ସ୍ଥାନୀୟ ସମସ୍ୟାର ସମାଧାନର ବାର୍ତ୍ତା ପ୍ରଦାନ କରିଥାନ୍ତି । ସକାଳର ବନ୍ଦାଣ ଠାରୁ ନେଇ ଅପରାହ୍ନର ଧୂଳି ଦଣ୍ଡ ଓ ପରେ ସଂଧ୍ୟାରେ ଅଗ୍ନି ଦଣ୍ଡ ତଥା ମଧ୍ୟ ରାତ୍ରିରେ ଦଣ୍ଡ କାଳିଙ୍କ ପର୍ଭା ପରେ ଷୋହଳ ସୁଆଙ୍ଗ ନୃତ୍ୟ ବେଶ ମନୋରଞ୍ଜନ ସୃଷ୍ଟି କରିପାରୁଛି ।
ବୌଦ୍ଧରେ ଏମିତି ଆରମ୍ଭ ହୋଇଥିଲା ଦଣ୍ଡଯାତ୍ରା: ଦଣ୍ଡ ଯାତ୍ରା ବୌଦ୍ଧ ଜିଲ୍ଲାର ଗଣପର୍ବ ଭାବରେ ପାଳନ କରାଯାଉଥିବା ବେଳେ ଷୋହଳ ଖାଡି ବାଦ୍ୟର ତାଳେ ତାଳେ ଷୋହଳ ସୁଆଙ୍ଗ ନୃତ୍ୟ ପ୍ରାଚୀନ ଲୋକନୃତ୍ୟକୁ ପୁନର୍ଜୀବିତ କରି ରଖିଛି । ଗଡଜାତ ରାଜ୍ୟ ବୌଦ୍ଧ ଅଞ୍ଚଳକୁ ଏକଦା ବ୍ରାହ୍ମଣ ଓ ଭଞ୍ଜ ରାଜାଗଣ ଶାସନ କରୁଥିଲେ । ତେବେ ଅଷ୍ଟମ ଶତାବ୍ଦୀରେ ଭଞ୍ଜ ରାଜାଙ୍କୁ ପରାସ୍ତ କରି ସୋମବଂଶୀ ଶାସକ ମାନେ ବୌଦ୍ଧ ଅଞ୍ଚଳକୁ ଶାସନ କରିଥିଲେ । ତେବେ ବୌଦ୍ଧ ଅଞ୍ଚଳରେ ଥିବା ବୌଦ୍ଧ ଧର୍ମକୁ ପରାହତ କରି ଶୈବ ଧର୍ମର ବ୍ୟାପକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଦଣ୍ଡ ନାଚର ଅୟମାରମ୍ଭ କରାଯାଇଥିବା ନେଇ ଗବେଷକ ମତ ପ୍ରକାଶ କରନ୍ତି ।
ବୌଦ୍ଧ ଜିଲ୍ଲାର ପ୍ରାଚୀନ ଶୈବପୀଠ ଗୁଡିକ ମଧ୍ୟରୁ ଗନ୍ଧରାଡିର ପ୍ରସିଦ୍ଧ ହରିହରଙ୍କ ମନ୍ଦିର ଅନ୍ୟତମ । ଏହି ପୀଠରେ ଦେବ ଦେବ ମହାଦେବ ସିଦ୍ଧେଶ୍ବର, କପିଳେଶ୍ବର, ଯାଗେଶ୍ବର, ପଶ୍ଚିମ ସୋମନାଥ ଭଳି ଚାରିଗୋଟି ସ୍ଥାନରେ ପୂଜିତ ହେଉଥିବାରୁ ଏହାକୁ ଚାରିଶମ୍ଭୁ ବୋଲି ମଧ୍ୟ କୁହାଯାଏ । ଏହି ଅଞ୍ଚଳକୁ ହିଁ ଦଣ୍ଡ ନାଚର ଉନ୍ମେଷ ହୋଇଥିବା ଅନେକ ମତ ପ୍ରକାଶ କରିଥାନ୍ତି । ପ୍ରାୟ ହଜାରେ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ଅଞ୍ଚଳର ଦଣ୍ଡ ନୃତ୍ୟରେ ଅନେକ ପରିବର୍ତ୍ତନ ଆସିଥିଲେ ମଧ୍ୟ ଷୋହଳ ସୁଆଙ୍ଗକୁ ନେଇ ଏହାର ମୌଳିକତା ଆଜି ମଧ୍ୟ ବଜାୟ ରହିଛି । ଚାରିଶମ୍ଭୁ ଦଣ୍ଡ ନୃତ୍ୟ ଦଳ ଭଳି ଜିଲ୍ଲାର ଶତାଧିକ ଦଣ୍ଡ ଯାତ୍ରା ଦଳ ରହିଥିବା ବେଳେ ପ୍ରାୟ ଅଧିକାଂଶ ଦଣ୍ଡ ଯାତ୍ରାରେ ଷୋହଳ ସୁଆଙ୍ଗ ନୃତ୍ୟକୁ ପରିବେଷଣ କରାଯାଇଥାଏ ।
ପ୍ରାଚୀନ ପରମ୍ପରା ଅନୁଯାୟୀ ଦଣ୍ଡ ଦଳ ପ୍ରଥମେ ଶ୍ରଦ୍ଧାଳୁଙ୍କ ଗୃହରୁ ବନ୍ଦାଣ ଘେନିବା ପରେ ଅପରାହ୍ନରେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥାଏ । ଏହାପରେ ସଂଧ୍ୟାରେ ଅଗ୍ନି ଦଣ୍ଡ ଓ ମଧ୍ୟ ରାତ୍ରିରେ ରୁଦ୍ରକାଳୀଙ୍କ ପର୍ଭା ନାଚ ପରେ ପତର ଶଉରା, ଝାଲିଆ ଶବର ଭଳି ଷୋହଳ ସୁଆଙ୍ଗର ପାରମ୍ପରିକ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥାଏ । ଜିଲ୍ଲାର ବିଭିନ୍ନ ଶୈବପୀଠରୁ ଦଣ୍ଡ ଦଳ ଗୁଡିକ ସାତ, ତେର ଓ ଏକୋଇଶ ଦିନକୁ ଧାର୍ଯ୍ୟ କରି ମେରୁ ସଂକ୍ରାନ୍ତି ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ତେବେ ଜିଲ୍ଲାର ଶହ ଶହ ବର୍ଷର ଏହି ପ୍ରାଚୀନ ଲୋକପର୍ବ ଦଣ୍ଡ ନାଚ ସହିତ ଜଡ଼ିତ ବହୁ କଳାକାରମାନେ ନିଜର କଳା ନୈପୁଣ୍ୟତା ପ୍ରଦର୍ଶନ କରୁଥିଲେ ମଧ୍ୟ ସରକାରୀ ସ୍ତରରେ ସେମାନଙ୍କୁ କଳାକାର ଭାବରେ ଚିହ୍ନଟ କରାଯାଇ ପାରିନାହିଁ ।
ଇଟିଭି ଭାରତ, ବୌଦ୍ଧ