ବୌଦ୍ଧ: ଜିଲ୍ଲାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଗାଁର ରାସ୍ତା କାମ ହେଉ କି ପୋଖରୀ ଖୋଳା ଏହି ଯୋଜନାରେ ଗାଁରେ ଥିବା ବେରୋଜଗାରିଆଙ୍କୁ କାମ ମିଳିବା କଥା । ମାତ୍ର ଏଥିରେ ମଣିଷ ନୁହେଁ ମେସିନ କାମ କରୁଥିବା ଅଭିଯୋଗ ହୋଇଛି ।
ମଣିଷ ବଦଳରେ ମେସିନ କାମ କରିବା ଫଳରେ ଏହି ଯୋଜନାରେ ଦୁଇ ପଇସା ରୋଜଗାର କରିବାରୁ ବଞ୍ଚିତ ଦେଇଛନ୍ତି ଶ୍ରମିକ । ବୌଦ୍ଧ ଜିଲ୍ଲାରେ ବିଶେଷ ଭାବରେ କଣ୍ଟାମାଳ ବ୍ଲକର ବିଭିନ୍ନ ଉପାନ୍ତ ପଞ୍ଚାୟତରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ବଢିଗାଁ ପଞ୍ଚାୟତର ଓଲଣ୍ଡା ଆଦିବାସୀ ବସ୍ତି ଠାରୁ ଗିରାସିଙ୍ଗା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ନେଇ ସରପଞ୍ଚଙ୍କୁ କୌଣସି ସୂଚନା ଦିଆଯାଇ ନଥିବା ଅଭିଯୋଗ ହୋଇଛି ।
ରାସ୍ତା କାମରେ ମନରେଗା କାର୍ଯ୍ୟରେ ମଣିଷ ବଦଳରେ ମେସିନ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲା ବିଜେପି ପକ୍ଷରୁ ପିଡି ଡିଆରଡିଏ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଏ ସମ୍ପର୍କରେ ଜିଲ୍ଲା ବିଜେପିର ପ୍ରବକ୍ତା ଈଟିଭି ଭାରତକୁ ସୂଚନା ଦେଇଛନ୍ତି । ସେପଟେ ଏହି କାର୍ଯ୍ୟ ସମ୍ପର୍କରେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଅନିୟମିତତା ହୋଇନଥିବା ତଥା ଜେସିବି ମେସିନ ଜଣେ ବ୍ୟକ୍ତି ବିଶେଷଙ୍କ ପୋଖରୀ ଖନନ କାର୍ଯ୍ୟରେ ଲାଗିଥିବା ସଫେଇ ଦେଇଛନ୍ତି ।
ଏହି ଦୁର୍ନୀତିର ଖୁଲାସା କରୁଥିବା ବ୍ୟକ୍ତି ବିଶେଷଙ୍କୁ ବ୍ଲକ ପ୍ରଶାସନ ଖୁସି କରି ଚୁପ ରଖୁଥିବା ଚର୍ଚ୍ଚା ହେଉଛି । ତେବେ ବାରମ୍ବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଜନାରେ ଏଭଳି ଅନିୟମିତତା ହେଉଥିବା ଅଭିଯୋଗ ହେଉଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ