ବୌଦ୍ଧ: ବୃକ୍ଷକୁ ରକ୍ଷା ବନ୍ଧନରେ ବାନ୍ଧିବା ପରମ୍ପରା ଏବେ ସାରା ଦେଶରେ ପାଳନ ହେଉଥିବା ବେଳେ ବୌଦ୍ଧରେ କୋଭିଡ ଯୋଦ୍ଧାଙ୍କୁ ଯୁବ ଗୋଷ୍ଠୀ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଛନ୍ତି ।
ପୁରପଲ୍ଲୀରେ ସୋମବାର ଆନନ୍ଦ ଉଲ୍ଲାସର ସହିତ ରାକ୍ଷୀ ପୂର୍ଣ୍ଣିମା ଓ ବଳଭଦ୍ର ଜୟନ୍ତୀ ପାଳନ ହେଉଛି । ଏପଟେ ବୌଦ୍ଧ ଜିଲ୍ଲାରୁ ଆରମ୍ଭ ହୋଇଥିବା ବୃକ୍ଷକୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଏବେ ସାରା ଭାରତ ବର୍ଷରେ ପାଳନ କରାଯାଉଛି ।
ଆଜି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ବଟନି ଗାର୍ଡେନରେ ଥିବା ଔଷଧୀୟ ବୃକ୍ଷ ଗୁଡିକୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅତିଥିମାନେ ରାକ୍ଷୀ ବାନ୍ଧି ଏହାର ସୁରକ୍ଷା ପାଇଁ ପ୍ରତିଜ୍ଞା କରିଛନ୍ତି ।
ସେହିପରି ଫ୍ରେଣ୍ଡସିପ କ୍ଲବର ଯୁବ ଗୋଷ୍ଠୀ କୋରୋନା ବିରୁଦ୍ଧ ଲଢେ଼ଇରେ ସାମିଲ ସୁରକ୍ଷାକର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ରାକ୍ଷୀ ବାନ୍ଧିବା ସହ ମାସ୍କ ବଣ୍ଟନ କରି ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଥମେ ବୌଦ୍ଧ ଏସପି ଓ ଥାନାର ପୋଲିସମାନଙ୍କୁ ରାକ୍ଷୀ ବାନ୍ଧିବା ପରେ ଡାକ୍ତର ତଥା ସ୍ବାସ୍ଥ୍ୟକର୍ମୀଙ୍କୁ ରାକ୍ଷୀ ବାନ୍ଧି ମାସ୍କ ପ୍ରଦାନ କରିଥିଲେ ଏହି ଯୁବ ଗୋଷ୍ଠୀ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ