ବୌଦ୍ଧ: ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ଦ୍ବୀପରେ ସ୍ବଚ୍ଛ ସାଥୀ ପହଞ୍ଚି ସ୍ଥାନୀୟ ଲୋକଙ୍କୁ କୋରୋନା ଭୂତାଣୁ ସମ୍ପର୍କରେ ସଚେତନ କରିଛନ୍ତି । ସେପଟେ ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଗିର୍ଜା,ବଜାର, ହୋଟେଲ, ପାର୍କରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ବିଶେଷ ଜନଗହଳି ନକରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି ।
ରବିବାର ଜନତା କର୍ଫ୍ୟୁ ଲାଗିଲା ପୂର୍ବରୁ ବୌଦ୍ଧ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ଜିଲ୍ଲାର ବିଭିନ୍ନ ମନ୍ଦିର, ମସଜିଦ, ଗୀର୍ଜା,ବଜାର, ହୋଟେଲ, ପାର୍କ ଓ ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ କଟକଣା ଲାଗୁ ହୋଇଛି । ସେହିପରି ବୌଦ୍ଧ ଏନଏସି ଅନ୍ତର୍ଗତ ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ଦ୍ବୀପର ୧୩ ଓ ୧୪ ନମ୍ବର ଓ୍ବାର୍ଡରେ ପୌର କର୍ମଚାରୀ ଓ ସ୍ବଚ୍ଛସାଥୀ ପହଞ୍ଚି ସ୍ଥାନୀୟ ଲୋକଙ୍କୁ କୋରୋନାକୁ ନେଇ ଆତଙ୍କିତ ନହୋଇ ସଚେତନ ରହିବାକୁ ବୁଝାଇଛନ୍ତି ।
ଶନିବାର ବୌଦ୍ଧର ସାପ୍ତାହିକ ବଜାର ବନ୍ଦ ଥିବାରୁ ତଥା ରବିବାର ଜନତା କର୍ଫ୍ୟୁ ଥିବାରୁ ସଂନ୍ଧ୍ୟାରେ ପରିବା ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣାକଟକ, ଚାରିଛକ ଓ ହରଭଙ୍ଗା ପ୍ରମୁଖ ସ୍ଥାନ ଗୁଡିକରେ କରୋନା ଭୟରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ମାନ୍ଦା ପଡିଯିବା ଦେଖିବାକୁ ମିଳିଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ