ବୌଦ୍ଧ: ବିକାଶ ପଥରେ ଆଗେଇବ ବୌଦ୍ଧ । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଡି ହେଲା ବୌଦ୍ଧ ଜିଲ୍ଲା । ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିକାଶ ମୂଳକ ଯୋଜନା ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ୩୪.୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଜିଲ୍ଲାର ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।
ଆଜି ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ସମୁଦାୟ ୬୯ ପଞ୍ଚାୟତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛି । ଏହାସହ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି । ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୁଦାୟ ୩୪.୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଓଡ଼ିଶାର ତିନୋଟି ଜିଲ୍ଲା ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବଉଦ ଓ କଣ୍ଟାମାଳ ବ୍ଲକଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ ତିନୋଟି ବ୍ଲକରେ ହୋଇଥିବା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହିତ ଏନେଇ ଆର୍ଥିକ ଅନୁଦାନ ଘୋଷଣା କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ.....ନବୀନ ଓଡିଶାରେ ସାମିଲ ହେଲା ଅନୁଗୋଳ, ଜିଲ୍ଲା ପାଇଁ ବରାଦ ୧୧୨କୋଟି ୫୦ ଲକ୍ଷ
ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାର ହରଭଙ୍ଗା ବ୍ଲକଠାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ କଣ୍ଟାମାଳ ବ୍ଲକଠାରେ ସ୍ଥାନୀୟ ବିଧାୟକ ମହୀଧର ରଣା ଯୋଗ ଦେଇଥିଲେ । ସେହିପରି ବୌଦ୍ଧ ବ୍ଲକଠାରେ ଉଭୟ ବିଧାୟକଙ୍କ ପ୍ରତିନିଧି ଦୁଇ ଜଣ ସରପଞ୍ଚ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଓ 5ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଗତ ଜୁଲାଇ ମାସରେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା 5 ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିୟାନ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିକାଶ ପାଇଁ ଅନୁଦାନ ଯୋଗାଇ ଦେଇଥିବା ବେଳେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ଖଣ୍ଡିକନପା, ଦେଢଶୁର ଭାଇବୋହୁ ପାହାଡ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ପଲସାଗୋରା କଣ୍ଟାମାଳ ଡାକ୍ତରଖାନା, ମାହେଶ୍ୱରୀ ମହାବିଦ୍ୟାଳୟ, ଭୈରବୀ ମହାବିଦ୍ୟାଳୟ ଭଳି ଅନେକ କ୍ଷେତ୍ରରେ ବ୍ୟାପକ ଉନ୍ନତି ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଆଜି ବୌଦ୍ଧ ଜିଲ୍ଲା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସାମିଲ ହେବା ପରେ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି ।
ଇଟିଭି ଭାରତ, ବୌଦ୍ଧ