ବୌଦ୍ଧ: ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହେଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା (Summative Assessment) । ଆଜି ପ୍ରଥମ ଦିନରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର 12 ଗୋଟି, ବୌଦ୍ଧ ବ୍ଲକର 10 ଗୋଟି ଓ ହରଭଙ୍ଗା ବ୍ଲକର 9 ଗୋଟି ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଉତ୍ସାହର ସହିତ ପରୀକ୍ଷା ଦେଇଥିଲେ । ବୌଦ୍ଧ ସଦର ମହକୁମାରେ ଥିବା ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟକୁ ନୋଡାଲ ପରୀକ୍ଷା କେନ୍ଦ୍ର ଭାବରେ ଗ୍ରହଣ କରାଯାଇଛି ।
ଜିଲ୍ଲାର ସମୁଦାୟ 8639 ଜଣ ଛାତ୍ରଛାତ୍ରୀ ଚଳିତ ମ୍ୟାଟ୍ରିକ ପରୀକ୍ଷା ପାଇଁ ଆଡମିଟ କାର୍ଡ ପାଇଥିଲେ ମଧ୍ୟ କେତେକ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ପରୀକ୍ଷା ଦେଇପାରିନଥିବା ସୂଚନା ମିଳିଛି । ବିଶେଷ ଭାବରେ ଜିଲ୍ଲାର ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ