ବୌଦ୍ଧ: ବୁଧବାରଠାରୁ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ ହୋଇଛି । ସଟଡାଉନ ହେବା ପୂର୍ବରୁ ମଙ୍ଗଳବାର ଅତ୍ୟାବଶ୍ୟକୀୟ ଦୋକାନ ଓ ପରିବା ବଜାରରେ ପ୍ରବଳ ଭିଡ ହୋଇଥିବାବେଳେ ସ୍ବେଚ୍ଛାସେବୀମାନେ ଲୋକଙ୍କୁ ମାଗଣାରେ ଆରସେନିକ ଆଲବ ୩୦ ଔଷଧ ବିତରଣ କରିଥିଲେ ।
ବୁଧବାରଠାରୁ ବୌଦ୍ଧ ଜିଲ୍ଲା ହୋଇଛି ସମ୍ପୂର୍ଣ୍ଣ ସଟଡାଉନ । ଫଳରେ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଦୋକାନ ବଜାର ସହିତ ସମସ୍ତ ବ୍ୟାଙ୍କ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଆଜି(ବୁଧବାର) ଦିନ ତମାମ ବୌଦ୍ଧ ସହର ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଥିବା ଦେଖାଯାଇଥିଲା । ତେବେ ପୂର୍ବରୁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ପାଇଁ ପ୍ରଶାସନ ପକ୍ଷରୁ ସଟଡାଉନରେ କିଛି ମାତ୍ରାରେ କୋହଳ ଯୋଗୁଁ ଗତକାଲି ଦୋକାନ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା ।
ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକ ଆତଙ୍କିତ ହୋଇପଡିଛନ୍ତି । ସରକାରୀ ଭାବରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪ ବୋଲି ସୂଚନା ଦିଆଯାଇଥିବାବେଳେ ଗତକାଲି କେତେକ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେପଟେ ଆୟୁଷ ମନ୍ତ୍ରାଣାଳୟ ଦ୍ବାରା ସ୍ବୀକୃତ ହୋମିଓପାଥିକ ଔଷଧ ଆରସେନିକ ଆଲବ ୩୦କୁ ସ୍ବେଛାସେବୀମାନେ 5 ହଜାର ଲୋକଙ୍କୁ ମାଗଣାରେ ଯୋଗାଇ ଦେବାକୁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ