ବୌଦ୍ଧ: ଉପାନ୍ତ ଅଞ୍ଚଳର ଛାତ୍ରୀ ଜିଲ୍ଲା ତଥା ରାଜ୍ୟ ପାଇଁ ଆଣିଲେ ଗୌରବ । ଆଇଟିଆଇ (ITI)ର ଟେକ୍ସଟାଇଲ ବିଭାଗର ଅଲ ଇଣ୍ଡିଆ ଟ୍ରେଡ ଟେଷ୍ଟ (AITT)ରେ ଛାତ୍ରୀ ଜଣକ ସାରା ରାଜ୍ୟରେ ଟପ୍ପର ହୋଇଥିବା ବେଳେ ତାଙ୍କ ଏହି କୃତିତ୍ବ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଜିଲ୍ଲାର ବଘିଆପଡା ପଞ୍ଚାୟତ ସଦର ସାଲେସିଂ ଗ୍ରାମର ଆଇଟିଆଇ ଛାତ୍ରୀ ଶୁଭଶ୍ରୀ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏକ ସାଧାରଣ ଚାଷୀ ପରିବାରର ଝିଅ ଶୁଭଶ୍ରୀ ଚଳିତ ବର୍ଷ ଆଇଟିଆଇର ଟେକ୍ସଟାଇଲ ବିଭାଗର ପରୀକ୍ଷାରେ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ସମୁଦାୟ ୮୮.୫ ପ୍ରତିଶତ ନମ୍ବର ରଖି କୃତିତ୍ବ ହାସଲ କରିଥିବାବେଳେ, ତାଙ୍କ ଏହି ସଫଳତା ପାଇଁ ସେ ପ୍ରଭୁ ଶ୍ରୀଜଗନ୍ନାଥ, ପିତାମାତା ଓ ଶିକ୍ଷକଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।
ଏହା ବି ପଢନ୍ତୁ- ଭୈରବୀଙ୍କ ପୀଠ ଷୋଡଶ ଦିନାତ୍ମକ ପୂଜା
ତେବେ ଶୁଭଶ୍ରୀ ପିଲାଟି ଦିନରୁ ଅତ୍ୟନ୍ତ ମେଧାବୀ ହେବା ସହିତ ବୌଦ୍ଧ ଅଞ୍ଚଳର ବାନ୍ଧକଳାକୁ ସାରା ବିଶ୍ବରେ ପରିଚିତ କରାଇବା ଉଦ୍ଦେଶ୍ୟରେ ମନ ବଳାଇଛନ୍ତି । ଶୁଭଶ୍ରୀଙ୍କ ଏହି ସଫଳତା ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଆଗାମୀ ଦିନରେ ଶୁଭଶ୍ରୀ ବାନ୍ଧକଳାର ପ୍ରଚାର ପ୍ରସାର ସହିତ ଏନେଇ ଅଧିକ ଗବେଷଣା କରିବେ ବୋଲି ଇଟିଭି ଭାରତକୁ ସୂଚନା ପ୍ରଦାନ କରିଛନ୍ତି ।
ଏ ନେଇ କୃତି ଛାତ୍ରୀ କହିଛନ୍ତି, "ପିତାମାତାଙ୍କ ଆଶୀର୍ବାଦ ଯୋଗୁଁ ଏହି ସଫଳତା ପାଇଛି । ଜୀବନରେ କିଛି ନିଆରା କରିବାର ସ୍ବପ୍ନ ଦେଖିଥିଲି । ଏଥିଲାଗି ପରିଶ୍ରମ ମଧ୍ୟ କରିଛି । ଟେକ୍ସଟାଇଲ ବିଭାଗକୁ ଆଗକୁ ନେବା ଲାଗି ଲକ୍ଷ୍ୟ ରହିଛି । ଏଥିରେ ଡିପ୍ଲୋମା କରି ଏହାପରେ ଚାକିରି ଲାଗି ପ୍ରସ୍ତୁତ ହେବି ।" ଛାତ୍ରୀଙ୍କ ଏହି ସଫଳତାରେ ପରିବାର ବର୍ଗ ଖୁସି ହୋଇଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ବୌଦ୍ଧ