ବୌଦ୍ଧ: ଅଜଣା ରୋଗରୁ ମୁକ୍ତି ପାଇଁ ଦିନ ଗଣୁଛି ରୋଗୀ । ବୌଦ୍ଧ ଜିଲ୍ଲା ମୁଣ୍ଡାପଡା ପଞ୍ଚାୟତ କମିରା ଗ୍ରାମର ଘାଷିରାମ ମହାକୁଳ ଏକ ଅଜଣା ରୋଗରେ ପିଡିତ ହୋଇଥିବା ବେଳେ ଏହି ରୋଗରୁ ମୁକ୍ତି ପାଇଁ ଦିନ ଗଣୁଛନ୍ତି ।
ତିନୋଟି ଝିଅ ଓ ପତ୍ନୀଙ୍କୁ ନେଇ ଘାଷିରାମଙ୍କ ପରିବାର । ସେ ନିଜେ ଦିନ ମଜୁରିଆ ହୋଇଥିଲେ ମଧ୍ୟ ସବୁକିଛି ଖୁସିବାସୀରେ ଚଳାଇ ନେଉଥିଲେ । କିନ୍ତୁ ହଠାତ ଦୁଇ ମାସ ତଳେ ଘାଷିରାମ ଏକ ଅଜଣା ରୋଗରେ ଆକ୍ରାନ୍ତ ହେଲେ । ଧୀରେ ଧୀରେ ହାତ ଓ ଗୋଡର ଆଙ୍ଗୁଠି ସବୁ ଶୁଖିବା ଆରମ୍ଭ ହୋଇଥିଲା । ଆଉ ଡାକ୍ତର କହୁଛନ୍ତି ଏହା ବ୍ଲଡ କ୍ୟାନସର ।
ଏବେ ତିନି ତିନି ଥର କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଲେଣି । ଦିନ ମଜୁରିଆ ଘାଷିରାମଙ୍କ ଯାହା ଅର୍ଥ ବଳ ଥିଲା ସବୁକିଛି ଇତି ମଧ୍ୟରେ ସରି ସାରିଲାଣି । ଫଳରେ ଏବେ ସରକାରୀ ସହାୟତା ଏକମାତ୍ର ଭରସା । ଏପଟେ ପରିବାରର ଏକମାତ୍ର ରୋଜଗାରକ୍ଷମ ମଣିଷ ଖଟରେ ପଡି ରହିବା ଯୋଗୁଁ ପାଞ୍ଚ ପ୍ରାଣୀ କୁଟୁମ୍ବ ଭୋକ ଉପାସରେ ଆଉଟୁ ପାଉଟୁ ହୋଇ ପଡୋଶୀଙ୍କ ଦୟାରେ ଦିନ କାଟୁଛନ୍ତି ।
ସୋମବାର ପରିବାର ସହ ଘାସିରାମ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ସରକାରୀ ସହାୟତା ଯୋଗାଇ ଦେବାକୁ ଗୁହାରୀ କରିଛନ୍ତି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରେଡକ୍ରସ ଫଣ୍ଡରୁ କଟକ ଡାକ୍ତରଖାନାକୁ ଯାତାୟତ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ