ବୌଦ୍ଧ: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚାର ଥାନା ଘେରାଉ । କେନ୍ଦ୍ରାପଡା ଜିଲ୍ଲାର ଦୁଇ ବରିଷ୍ଠ ବିଜେପି ନେତାଙ୍କୁ ହତ୍ୟା ପ୍ରତିବାଦରେ ସାରା ରାଜ୍ୟରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ବୌଦ୍ଧ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ।
ବୌଦ୍ଧ ଥାନା ସମ୍ମୁଖରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ ବାଘଙ୍କ ନେତୃତ୍ବରେ ଓ କଣ୍ଟାମାଳ ଥାନା ସମ୍ମୁଖରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଂପାଦକ ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ବରେ ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ପ୍ରତାପ ଜେନାଙ୍କୁ ବହିଷ୍କାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଯୋରଦାର କରାଯିବ ବୋଲି ଯୁବ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ