ବୌଦ୍ଧ: ଥମିବାର ନା ନେଉନି ସଡକ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା । ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ସଡକ ଦୁର୍ଘଟଣା ଓ ମୃତକଙ୍କ ସଂଖ୍ୟା ବଢି ଚାଲିଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇବା ସହ ସାଧାରଣ ଲୋକ ଆତଙ୍କିତ ହୋଇପଡିଛନ୍ତି ।
ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଘଟି ପ୍ରାଣହାନୀ ଘଟୁଥିବାରୁ ସାଧାରଣରେ ଗଭୀର ଉଦବେଗ ପ୍ରକାଶ ପାଇଛି । ସଡକ ଦୁର୍ଘଟଣା ଓ ତତଜନୀତ ମୃତ୍ୟୁ ଏକ ସାଧାରଣ କଥା ହେଲାଭଳି ମନେହେଉଛି । ସେପଟେ ବୁଧବାର ଅପରାହ୍ନରେ ଘଟିଛି ଆଉ ଏକ ସଡକ ଦୁର୍ଘଟଣା । ମନମୁଣ୍ଡା ଥାନା ଅନ୍ତର୍ଗତ ଉଚ୍ଚ ବାହାଲି ନିକଟରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟିଛନ୍ତି । ଫଳରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।
ସେହିପରି ଏହି ଦୁର୍ଘଟଣାରେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ମନମୁଣ୍ଡା ଡାକ୍ତରଖାନା ଓ ପରେ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ମୃତକ ଯୁବକ ବାରଡୋଲ ଗ୍ରାମର ମନୋରଞ୍ଜନ ଦନ୍ତା ହୋଇଥିବା ବେଳେ ଅଶୋକ ଦନ୍ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ