ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ବାଲ୍ୟବିବାହରୁ 10ଟି ଗ୍ରାମକୁ ଶିଶୁ ଦିବସ ଅବସରରେ ବାଲ୍ୟବିବାହ ମୁକ୍ତ କରିଛି ଜିଲ୍ଲା ପ୍ରଶାସନ । ତେବେ ଆଗାମୀ ତିନି ବର୍ଷ ମଧ୍ୟରେ ସମଗ୍ର ଜିଲ୍ଲାରୁ ବାଲ୍ୟବିବାହ ହଟାଇବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି ।
ଶନିବାର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ତିଥି ଅବସରରେ ଜିଲ୍ଲା ପ୍ରଶାସନ ଜିଲ୍ଲାର ଦଶଟି ପଞ୍ଚାୟତର ଦଶଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିଛି । ଶିଶୁ ସୁରକ୍ଷା ୟୁନିଟ, ଚାଇଲ୍ଡ ଲାଇନ, ସମାଜ ମଙ୍ଗଳ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ରହିଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ବାଲ୍ୟବିବାହ ଭଳି ଘୃଣ୍ୟ ପ୍ରଥା ସମାଜକୁ ନିନ୍ଦିତ କରି ଆସିଛି । ତେବେ ବର୍ତ୍ତମାନ ଏଭଳି କୁସଂସ୍କାରର ମୂଳୋତ୍ପାଟନ ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି ।
![Bhadrak district administration released 10 villages for child marriage on Children's Day](https://etvbharatimages.akamaized.net/etvbharat/prod-images/od-boud-02-satya-marrage-avb-od10020_14112020144637_1411f_00874_446.jpg)
ଗ୍ରାମାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଅଙ୍ଗନବାଡି ଓ ବିଭାଗୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ସାମାଜିକ ବ୍ୟବସ୍ଥା ସହ ଜଡିତ ରହି କାର୍ଯ୍ୟ କରିବାକୁ ଆହ୍ବାନ ଦିଆଯାଇଛି । ଚଳିତ ବର୍ଷ ମାତ୍ର ଦଶଟି ଗ୍ରାମକୁ ଓ ଆସନ୍ତା ବର୍ଷ ପାଞ୍ଚ ଶହ ଗ୍ରାମକୁ ଏବଂ ପରିଶେଷରେ ଆଗାମୀ ତିନି ବର୍ଷ ମଧ୍ୟରେ ସମଗ୍ର ଜିଲ୍ଲାର 1185ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଘୋଷଣାର ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । ଏପଟେ ଶନିବାର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ତିଥି ଅବସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବାର ନିକଟରେ ସ୍ମୃତିଚାରଣ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ