ବୌଦ୍ଧ: କାଳିଆ ଯୋଜନାକୁ ନେଇ ବିଜେପି ଆଣିଲା ସାଙ୍ଘାତିକ ଅଭିଯୋଗ । ପୂର୍ବରୁ ନେତା ମନ୍ତ୍ରୀ ଏହି ଯୋଜନାର ଫାଇଦା ନେଉଥିବାର ଅଭିଯୋଗ ହେବା ପରେ ପୁଣି ଥରେ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଜଣେ ହିତାଧିକାରୀ 8ରୁ ଅଧିକ ଥର କାଳିଆ ଟଙ୍କା ପାଇଥିବାର ଆରୋପ ଲଗାଇଛି ବିଜେପି ।
ରବିବାର ବୌଦ୍ଧ ଜିଲ୍ଲା ପିଡବ୍ଲୁଡି ବଙ୍ଗଳାରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଡ.ରାକେଶ ଶର୍ମା । କାଳିଆ ଯୋଜନା ହିଁ ବିଜେଡି ଦଳର ପତନର କାରଣ ହେବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।
ରାଜ୍ୟ ସଂଯୋଜକ ମନୋରଞ୍ଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ସମୀର ପାତ୍ର, ପ୍ରଭାରୀ ପ୍ରକାଶ ହୋତା, ସୂର୍ଯ୍ୟ ନାରାୟଣ ମହାପାତ୍ର, ବିପ୍ର ଚରଣ ମହାନ୍ତି, ବିଷିକେଶନ ପ୍ରଧାନ, ନମିତାରାଣୀ ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଏନେଇ ସୋମବାର ଦିନ ଜିଲ୍ଲାର ତେଲିବନ୍ଧ ସମବାୟ ସମିତି ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ