ବୌଦ୍ଧ: ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତି। ଦୀର୍ଘ ପ୍ରାୟ ବର୍ଷେ ହେଲା ପରିବାରର ଏକମାତ୍ର ରୋଜଗାରକ୍ଷମ ମଣିଷ ଅଜଣା ରୋଗରେ ପଡିବା ପରେ ଏବେ ଜୀବନ ମରଣର ଦୋଛକିରେ ବାବୁରାମ। ଏହି ରୋଗୀଙ୍କ ପାଇଁ ସରକାରୀ ସହାୟତା ଏକାନ୍ତ ଆବଶ୍ୟକ ହୋଇପଡିଛି।
ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ତିରଡ ଗାଁରେ ଛୋଟ ପରିବାର ନେଇ ବାବୁରାମଙ୍କ ଘର। ଗରିବ ହେଲେ ମଧ୍ୟ ମୂଲଲାଗି ଛୋଟ ପରିବାରକୁ ଯେଣ ତେଣରେ ଚଳାଇ ନେଉଥିଲେ ବାବୁରାମ କହଁର। ହେଲେ ସବୁଦିନ ସମାନ ଗଲା ନାହିଁ। ତିନି ପୁଅଝିଅ ମଧ୍ୟରୁ ଦୁଇଟି ପୁଅଝିଅ ଅଜଣା ରୋଗରେ ପଡି ଆରପାରିକୁ ଚାଲିଗଲେ।
ପ୍ରାୟ ଏକ ବର୍ଷ ତଳେ ବାବୁରାମ ନିଜେ ଏକ ଅଜଣା ରୋଗରେ ପିଡୀତ ହୋଇ ଶଯ୍ୟାଶାୟୀ ହେଲେ। ବିଭିନ୍ନ ଡାକ୍ତରଖାନାକୁ ଦୌଡି ଦୌଡି ଯାହା କିଛି ସଞ୍ଚିତ ଅର୍ଥଥିଲା ତାହା ସୁଝିବା ସହ ଧାର କରଜରେ ବୁଡି ରହିଛନ୍ତି ଏହି ପରିବାର। ଏବେ ଏହି ପରିବାର ଅତ୍ୟନ୍ତ ଅସହାୟ ହୋଇପଡିଥିବା ବେଳେ ସରକାରୀ ସହାୟତା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସବୁଠାରେ ଗୁହାରୀ କରିସାରିଲେଣି । କିନ୍ତୁ ଏଯାଏଁ କୌଣସି ସହାୟତା ମିଳିନଥିବାରୁ ବାବୁରାମ ମୃତ୍ୟୁର ଦ୍ବାରଦେଶରେ ଠିଆ ହୋଇଛନ୍ତି । ଯଦି ତାଙ୍କୁ ସରକାରୀ ସାହାଯ୍ୟ ମିଳିପାରନ୍ତା ତେବେ ତାଙ୍କ ଜୀବନ ବଞ୍ଚିଯିବ ବୋଲି ଆକୁଳ ଭାବେ ପତ୍ନୀ ବିନୋଦିନୀ ପ୍ରଶାସନ ଓ ସରକାରଙ୍କୁ ଗୁହାରୀ କରିଛନ୍ତି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ