ବୌଦ୍ଧ: ଘୋର ଅବ୍ୟବସ୍ଥା ମଧ୍ୟ ସମାପନ ହେଲା ତଥାକଥିତ କୃଷି ମହୋତ୍ସବ । ଚାଷୀଙ୍କ ଆକ୍ରୋଶର ଶୀକାର ହେବା ପୂର୍ବରୁ ପ୍ରଦର୍ଶିତ ଷ୍ଟଲ ଛାଡି ଫେରାର ହୋଇଯାଇଥିଲେ କରିତକର୍ମା କୃଷି ଅଧିକାରୀ । ନା ନା ଅବ୍ୟବସ୍ଥା ମଧ୍ୟରେ ସରିଲା ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ। ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବୌଦ୍ଧ ଜିଲ୍ଲାର କୃଷି ବିଭାଗ କିନ୍ତୁ ଦୁର୍ନୀତିରେ ବୁଡିରହିଥିବା ଯୋଗୁଁ ଚାଷୀଙ୍କ ଆକ୍ରୋଶର ଶିକାର ହୋଇଛି । ବୌଦ୍ଧ କୃଷି କାର୍ଯ୍ୟାଳୟ ପରିସରରେ ଚାଲିଥିବା ପାଞ୍ଚ ଦିନିଆ କୃଷି ଉତ୍ସବ ଘୋର ଅବ୍ୟବସ୍ଥା ମଧ୍ୟ ଶୁକ୍ରବାର ସମାପନ ହୋଇଥିଲା ।
ତେବେ ଚାଷୀଙ୍କ ପାଇଁ ଏତେ ସବୁ ବ୍ୟବସ୍ଥା ମଧ୍ୟରେ ମୁଠାଏ ଖାଇବାରୁ ଦିଆନଯିବାରୁ ଦୂରଦୂରାନ୍ତରୁ ଆସିଥିବା ଚାଷୀ ଭୋକରେ ଫେରିଯାଇଥିଲେ । ସେପଟେ ଚାଷୀ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ଗାଳି କରୁଥିବା ବିଭାଗୀୟ ଅପାରଗତାକୁ ପଦାରେ ପକାଇ ଦେଇଥିଲା । ଚାଷୀଙ୍କ ଆକ୍ରୋଶର ଶିକାର ହେବା ପୂର୍ବରୁ କୃଷି ଅଧିକାରୀ ଓ କିଛି କରିତକର୍ମା କର୍ମଚାରୀ ପ୍ରଦର୍ଶନୀ ଷ୍ଟଲ ଛାଡି ଫେରାର ମାରି ଲୁଚିଥିଲେ । ଏଭଳି ଅଭାବନୀୟ ଦୃଶ୍ୟ ଦେଖି ଅନ୍ୟ ଚାଷୀ ମଧ୍ୟ ଫେରିଯାଇଥିଲେ ।
ତେବେ ବିଭାଗ ଓ ଜିଲ୍ଲା ପ୍ରଶାସନ କୁ ଫୋଟ ଦେଖାଇବାକୁ କେତେକ ବୋଲକରା ଆତ୍ମ ଘୋଷିତ ଚାଷୀ, ମହିଳା ଓ କୃଷି କର୍ମଚାରୀଙ୍କ ପରିବାର କୁ ବସାଇ ଭେଣ୍ଡିନାଚ ଦେଖାଇ ସମସ୍ତଙ୍କୁ ଭଣ୍ଡାଇଥିଲା କୃଷି ବିଭାଗ । ବିଫଳ ହୋଇଥିବା କୃଷି ଉତ୍ସବ ସହ କୃଷି ବିଭାଗର ଦୁର୍ନୀତିକୁ ନେଇ ଚାଷୀ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ