ବୌଦ୍ଧ: ସଫଳ ହେଲା ମିଶନ ମାରୁତୀ । ଦୀର୍ଘ 10 ଘଣ୍ଟା ପରେ ମହାନଦୀ ଗର୍ଭରୁ ଉଦ୍ଧାର ହେଲା ହନୁମାଙ୍କଡ । ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ନଦୀ ନାଳରେ ବର୍ତ୍ତମାନ ବନ୍ୟା ଜଳ ପ୍ରବାହିତ ହେଉଛି । ଆଜି ସକାଳୁ ମହାନଦୀର ବନ୍ୟା ଜଳରେ ଭାସି ଆସି ଏକ ମାଙ୍କଡ଼ ବଙ୍କାପଡା ଘାଟ ନିକଟସ୍ଥ ତିନି ଶହ ମିଟର ଭିତରେ ଏକ ପଥର ଟାପୁରେ ଆଶ୍ରୟ ନେଇଥିଲା ।
ତେବେ ବନ୍ୟା ଜଳ ଅଧିକ ହେବାରୁ ପଥରଟି ବୁଡିଯିବା ପୂର୍ବରୁ ପୁଣି ଆଗରେ ଥିବା ବଡ ପଥର ଟାପୁ ଉପରକୁ ମାଙ୍କଡ଼ଟି କୌଣସି ମତେ ଚଢିଯାଇ ଆଶ୍ରୟ ନେଇଥିଲା । ଏହି ଦୃଶ୍ୟ ସ୍ଥାନୀୟ କିଛି ଲୋକ ଦେଖିପାରି ଜଙ୍ଗଲ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ଉକ୍ତ ପଥରଟି ବନ୍ୟା ଜଳରେ ବୁଡିଯିବା ପୂର୍ବରୁ ଉଦ୍ଧାରକାରୀ ଦଳ ଦୁଇଟି ଡଙ୍ଗାରେ ନଦୀ ଗର୍ଭରେ ପ୍ରବେଶ କରି ମାଙ୍କଡ଼କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ତେବେ ମାଙ୍କଡ଼ଟି ଭୟ ପାଇ ନଦୀକୁ ଡେଇଁ ପଡିଥିଲେ ମଧ୍ୟ ଉଦ୍ଧାରକାରୀ ଦଳ ଦୀର୍ଘ ସମୟ ପରେ ମାଙ୍କଡକୁ କୂଳକୁ ଆଣିବାରେ ସମର୍ଥ ହୋଇଥିଲେ । ମାଙ୍କଡଟି ଉଦ୍ଧାର ହୋଇଥିବାରୁ ସ୍ଥାନୀୟ ଜନସାଧାରଣ ଆଶ୍ବସ୍ଥି ବୋଧ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ