ଭଦ୍ରକ: ପ୍ରେମିକା ସହ ଝଗଡା ହେବାରୁ ଜୀବନ ହାରିଦେଲେ ପ୍ରେମିକ । ହୋଟେଲ ରୁମ ଭିତରେ ପ୍ରେମିକା ଆଗରେ ଝୁଲି ପଡିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରେ । ମୃତ ଯୁବକଙ୍କ ନାମ ଦେବରାଜ ସାମଲ ଓ ଘର ଜଳହରି ଗ୍ରାମରେ । ପୋଲିସ ହୋଟଲରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଜନୈକା ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରିଛି । ଅନ୍ୟପଟେ ଯୁବକଙ୍କୁ ହତ୍ୟା କରାଯାଇଥିବା ତାଙ୍କର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁଯାୟୀ, ଦେବରାଜ ସାମଲ ନିଜ ପ୍ରେମିକା ସହ ସମୟ କାଟିବା ପାଇଁ ଅନଲାଇନରେ ଟୁରିଜିମ ସଂସ୍ଥାର ଦୁସୁଲି ହୋମରେ ଏକ ରୁମ୍ ଦୁଇ ଦିନ ପାଇ ବୁକ୍ କରିଥିଲେ । ସେଠାରେ ରହିବା ସମୟରେ କୌଣସି କଥାକୁ ନେଇ ପ୍ରେମିକା ସହ ତାଙ୍କର ପ୍ରବଳ ପାଟିତୁଣ୍ଡ ହୋଇଥିଲା । ହୋଟେଲ କର୍ମଚାରୀମାନେ ରୁମକୁ ଯିବାରୁ ଯୁବକ ଜଣକ ସଂଜ୍ଞାହୀନ ଭାବେ ପଡି ରହିଥିବାର ଦେଖିଥିଲେ । ଏନେଇ ସେମାନେ ହୋଟେଲ ମାଲିକଙ୍କୁ ଖବର ଦେଇଥିଲେ । ଏହାପରେ ଯୁବକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବା ସହ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ହୋଟେଲ ମାଲିକ । ହସ୍ପିଟାଲରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସହରାଞ୍ଚଳ ପୋଲିସ ଯୁବତୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଛାଡି ଦେଇଥିଲା ।
ଏହାମଧ୍ୟ ପଢନ୍ତୁ: ଶ୍ବଶୁର ଘରେ ଜୀବନ ହାରିଲେ ଡାକ୍ତର ଜ୍ବାଇଁ ! ପୋଲିସର ତଦନ୍ତ ଆରମ୍ଭ
ମୃତ ଯୁବକ ନିଜ ବାପାମାଆଙ୍କ ଏକମାତ୍ର ରୋଜଗାରକ୍ଷମ ପୁଅ ହୋଇଥିବା ବେଳେ ତାଙ୍କର ୩ ଭଉଣୀ ଅଛନ୍ତି । ପୁଅକୁ ହରାଇ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଦେବରାଜ ଆତ୍ମହତ୍ୟା କରିନାହାନ୍ତି, ବରଂ ଜନୈକା ଯୁବତୀ ଜଣକ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ଛାନଭିନ୍ ଆରମ୍ଭ କରିଥିବା ବେଳେ ଯୁବତୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପଟେ ଦେବରାଜ ରହିଥିବା ହୋଟେଲ ରୁମ ଭିତରୁ ମଦ ବୋତଲ ସହ ଅନେକ ଆପତ୍ତିଜନକ ଜିନିଷ ମିଳିଥିବା ସୂଚନା ମିଳିଛି । ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାରେ ତଦନ୍ତ ଜାରି ରଖିଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଇଛି ।
ଇଟିଭି ଭାରତ, ଭଦ୍ରକ