ଭଦ୍ରକ: ଆଜିକୁ 6 ଦିନ ବିତି ଯାଇଥିଲେ ମଧ୍ୟ ବିଦ୍ୟୁତ ସେବାରୁ ବଞ୍ଚିତ ଲୋକମାନେ । ବାରମ୍ବାର ଦାବି ଓ ପ୍ରତିବାଦ କରିଆସୁଥିଲେ ମଧ୍ୟ ବିଦ୍ୟୁତ ବିଭାଗର ନିଦ ଭାଙ୍ଗୁନଥିବା ଅଭିଯୋଗ ହୋଇଛି । କରୋନା କାଳରେ ଘରେ ରୋଗୀ ସେବା ସହିତ ଅସହ୍ୟ ଗୁଳୁଗୁଳି ଓ ପିଲାମାନଙ୍କ ପାଠ ପଢାରେ ଘୋର ବ୍ୟାଘାତ ହେଉଥିବା ଅଭିଯୋଗ କରି ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ସନ୍ଥପୁରା ଓ ଆରୁହା ଗ୍ରାମବାସୀ ଆଜି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ କରିଥିଲେ ।
ରାସ୍ତା ଉପରେ କଣ୍ଟା ଡାଳ ପକାଇ ଅବରୋଧ କରିବା ସହିତ ଉଭୟ ପାର୍ଶ୍ୱରେ ଗ୍ରାମର ପୁରୁଷ ଓ ମହିଳାମାନେ ପ୍ରତିବାଦ କରିଥିଲେ । ବାତ୍ୟା ୟସ ପ୍ରଭାବରେ ସେମାନଙ୍କର କ୍ଷୟକ୍ଷତି ହୋଇଥିଲେ ମଧ୍ୟ ବିଦ୍ୟୁତ ଖୁଣ୍ଟ ଅଥବା ତାର କୌଣସି ସ୍ଥାନରେ କ୍ଷତି ହୋଇନଥିବା ଏବଂ କାଁଭାଁ ଶଙ୍ଖ ଫାଟିଥିବା ବା ଫ୍ୟୁଜ୍ ଯାଇଥିବାବେଳେ ଏହାର ମରାମତି କରିବା ଲାଗି କୌଣସି ପଦକ୍ଷେପ ନିଆଯାଉ ନାହିଁ । ଶୁଖିଲା ସ୍ଥାନରେ ଖୁଣ୍ଟ ରହିଥିବାବେଳେ ପାଣି ଥିବା ଦର୍ଶାଇ ବିଦ୍ୟୁତ କର୍ମଚାରୀମାନେ ଆଖି ଫେରେଇ ନେଉଛନ୍ତି । ବିଦ୍ୟୁତ ସେବାରୁ ବଞ୍ଚିତ ଏହି ଗ୍ରାମବାସୀଙ୍କ ଅସନ୍ତୋଷ ଆଜି ଉଗ୍ରରୂପ ନେଇଛି ।
ନିରୁପାୟ ହେବା ସହିତ ପ୍ରଶାସନିକ ଅଧିକାରୀଙ୍କ ପାରିବା ପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବକ ସନ୍ଥପୁରା ଠାରେ ରାଜ୍ୟ ରାଜପଥ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଜରୁରୀକାଳୀନ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ପରେ ପୋଲିସ ଘଟଣାର ହସ୍ତକ୍ଷେପ କରିବା ସହିତ ତୁରନ୍ତ ବିଦ୍ୟୁତ ସଂଯୋଗ କରାଇ ଦେବାର ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ