ଭଦ୍ରକ: ଶତଚେଷ୍ଟା ସତ୍ତ୍ବେ, କରୋନା ଯୁଦ୍ଧରେ ସ୍ବାମୀ ସିନା ହାରିଗଲେ । ହେଲେ ସ୍ବାମୀଙ୍କ ଚିକିତ୍ସା ପାଇଁ କିଛି ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ପ୍ରାପ୍ତ 40 ଲକ୍ଷ ଟଙ୍କା ଅନ୍ୟମାନଙ୍କ ଚିକିତ୍ସା ପାଇଁ ଦାନ କଲେ ପତ୍ନୀ । କରୋନା କାଳରେ ଏହିପରି ଏକ ବିରଳ ଉଦାହରଣ ସୃଷ୍ଟିକରିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଅଭିଷେକ ମହାପାତ୍ରଙ୍କ ପତ୍ନୀ ମୌସୁମୀ ମହାନ୍ତି । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଅଭିଷେକ ମହାପାତ୍ର ଓମାନ୍ରେ ସିଭିଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ତେବେ ସେ 2021 ମଇ 5 ତାରିଖରେ ବିବାହର ମାତ୍ର 8 ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ECMO ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇ କୋଲକାତା ନିଆଯାଇଥିଲା ।
ଏହି ECMO ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହେବାରୁ ତାଙ୍କୁ ଅନେକ ବଦାନ୍ୟ ବ୍ୟକ୍ତି ଓ ସଂଗଠନ ସାହାଯ୍ୟ କରିଥିଲେ । ତେବେ ବିଧିର ବିଧାନ ଥିଲା ଅଲଗା । ପ୍ରାୟ 3 ମାସ ଧରି ଅଭିଷେକ ଚିକିତ୍ସିତ ହେବା ପରେ ବି, ବାପା-ମାଆଙ୍କର ଏକମାତ୍ର ପୁଅ ଶେଷରେ 2021 ସେପ୍ଟେମ୍ବର 3 ତାରିଖ ଦିନ ଜୀବନ ଯୁଦ୍ଧରେ ହାରିଗଲେ । ଯାହାକି ନବ ବିବାହିତା ପତ୍ନୀ ମୌସୁମୀ ମହାନ୍ତିଙ୍କ ସମେତ ତାଙ୍କ ପିତା ମାତାଙ୍କ ସହ ସମସ୍ତଙ୍କୁ ସେଦିନ ହତବାକ କରିଦେଇଥିଲା ।
ତେବେ ଆଜି(ସୋମବାର) ପତ୍ନୀ ମୌସୁମୀ ମହାନ୍ତି, ସ୍ବାମୀଙ୍କ ଚିକିତ୍ସା ପାଇଁ ଯୋଗାଡ କରିଥିବା ଟଙ୍କାରୁ ବଳକା ଥିବା 40 ଲକ୍ଷ ଟଙ୍କା ମଧ୍ୟରୁ 10 ଲକ୍ଷ ଟଙ୍କା ଭଦ୍ରକ ଜିଲ୍ଲା ରେଡକ୍ରସ ପାଣ୍ଠି ଏବଂ 30 ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏବଂ ଅନ୍ୟମାନଙ୍କ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାନ କରିଛନ୍ତି । ଯାହାକି କରୋନା କାଳରେ ଏକ ବିରଳ ଉଦାହରଣ କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ଏହି ଦାନ ସମ୍ବଳିତ ଡ୍ରାଫ୍ଟକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଇଦେବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ।
ଭଦ୍ରକରୁ ଦେବାଶିଷ ମହପାତ୍ର, ଇଟିଭି ଭାରତ