ଭଦ୍ରକ: ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । କ୍ଷତିପୂରଣ ଦାବିରେ ଗାଁ ମୁଣ୍ଡରେ ଆମ୍ବୁଲାନ୍ସରେ ମୃତଦେହ ରଖି ପ୍ରତିବାଦ କରାଯାଇଛି । ମୃତ ଦାଦନ ଶ୍ରମିକ ହେଉଛନ୍ତି ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧିନ ନାଉରିଆ ପୋଖରୀ ଗାଁର ରବିନ୍ଦ୍ର ମାଝୀଙ୍କ ପୁଅ ଟୁକୁନା ମାଝୀ (23) । ପରିବାର ପୋଷଣ ପାଇଁ ପ୍ରାୟ 5 ବର୍ଷ ହେବ ତାମିଲନାଡୁ ରାଜ୍ୟର ସିପେରମପୁରମରେ ଚେନ୍ନାଇ ପ୍ଲାଷ୍ଟିକ ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।
ତେବେ ରାତିରେ ସାଥୀମାନଙ୍କ ସହ ଭୋଜିଭାତ ସହିତ ମଉଜ କରି କ୍ବାର୍ଟରକୁ ଶୋଇବାକୁ ଯାଇଥିଲା । ମାତ୍ର କିଛି ସମୟ ପରେ ବାହାରକୁ ଆସି ପରିସରରେ ଥିବା ଖଟିଆରେ ଶୋଇଥିଲା ଏବଂ ସକାଳେ ସେ ମୃତ୍ୟୁବରଣ କରିଥିବା ଜଣାପଡିଥିଲା । ଲୋକାଲ ପୋଲିସ ହସ୍ତକ୍ଷେପ ଓ କମ୍ପାନୀ ସହଯୋଗରେ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ କମ୍ପାନୀର କାର୍ଯ୍ୟରତ ସେହି ଗାଁର 4 ଜଣ ଓ ଘଣ୍ଟେଶ୍ବର ଅଞ୍ଚଳର ଜଣେ ଶ୍ରମିକଙ୍କ ସହିତ ଆମ୍ବୁଲାନ୍ସ ଯୋଗେ ଗାଁରେ ପହଞ୍ଚିଥିଲା ଟୁକୁନାର ମୃତଦେହ । ମୃତଦେହ ଗ୍ରହଣ ନକରି ଆମ୍ବୁଲାନ୍ସକୁ ଅଟକ ରଖିଥିଲେ ଗ୍ରାମବାସୀ ।
ମୃତକଙ୍କ ସ୍ତ୍ରୀ ଏବଂ 6 ମାସର ଶିଶୁର ଭରଣ ପୋଷଣ ପାଇଁ କମ୍ପାନୀ ଠାରୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଟୁକୁନା ଗାଁରୁ ଦାଦନ ହୋଇ ଯାଇଥିଲା ଆଉ ଶେଷରେ ମୃତଦେହ ହୋଇ ଫେରିଲା । ଏକଥା ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଟୁକୁନାର ମୃତ୍ୟୁ ସାଧାରଣ କି ଆଉ କିଛି ତାହାର ହିସାବ ମାଗୁଛନ୍ତି ପରିବାର ଲୋକେ । 10 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଗ୍ରାମବାସୀ ଏବଂ ପରିବାର ଲୋକଙ୍କ ପକ୍ଷରୁ ଆମ୍ବୁଲାନ୍ସକୁ ଅଟକ ରଖିଥିଲେ । ଟୁକୁନାର ଜାଗା ବାଡ଼ି ବୋଲି କିଛି ନାହିଁ । ତାର ସ୍ତ୍ରୀ ଏବଂ 6 ମାସର ଶିଶୁର ଭରଣ ପୋଷଣ ପାଇଁ କମ୍ପାନୀ ଏପରି 10 ଲକ୍ଷ ଟଙ୍କା ନମିଳିଲେ ମୃତଦେହ ଗ୍ରହଣ କରାନଯିବା ସହିତ ଆମ୍ବୁଲାନ୍ସକୁ ଛଡାଯିବ ନାହିଁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନି ଦିଆଯାଇଥିଲା । ତେବେ ଏନେଇ ସ୍ଥାନୀୟ ପୋଲିସ ଓ ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରାଯିବା ପରେ ସ୍ଥିତି ସାମାନ୍ୟ ହୋଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, ଭଦ୍ରକ