ଭଦ୍ରକ: ଜିଲ୍ଲାରେ ବାତ୍ୟା ‘ବୁଲବୁଲ’ରେ ଭାଙ୍ଗିଯାଇଥିବା ଘର ଗୁଡିକର ତଦନ୍ତ ଆରମ୍ଭ କରିଛନ୍ତି ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା । କାଁପଡା ଅଧିନ ଦପା ଗାଁର ଆବେଦନକାରୀଙ୍କୁ ଭେଟି ବୁଲବୁଲରେ ଭାଙ୍ଗିଥିବା ଘରଗୁଡିକର ସେ ତଦନ୍ତ କରିଥିବା ସୂଚନା ରହିଛି ।
ତେବେ ଆବେଦନକାରୀମାନଙ୍କ ମଧ୍ୟରେ କେତେଜଣଙ୍କ ଘର ପୂର୍ବରୁ ଛପର ହୋଇନଥିବା, କେତେକ ଘରେ ରହୁନଥିବା ଏବଂ ପୂର୍ବରୁ ସରକାରୀ ଆବାସ ଯୋଜନା ପାଇଥିବା ତହସିଲଦାର ଜାଣିବାକୁ ପାଇଥିବା ଜଣାପଡ଼ିଛି। ତେବେ ଆବେଦନକାରୀଙ୍କ ଘର ଗୁଡିକର ଜିଓଟେକ୍ କରାଯିବା ସହିତ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ ଏବଂ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ବୁଲବୁଲ ପରେ ଏହି ଅଞ୍ଚଳର ବ୍ୟାପକ ଘର ଭାଙ୍ଗିଥିବା ତହସିଲଦାରଙ୍କ ଠାରେ ଅଭିଯୋଗ ହେବାସହ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଥିଲା । ପ୍ରଥମେ ଆରଆଇଙ୍କ ଜରିଆରେ କ୍ଷେତ୍ରୀୟ ତଦନ୍ତ କରାଯିବା ପରେ ସୁପରଭାଇଜର ମଧ୍ୟ ତଦନ୍ତ କରିଥିଲେ । ହେଲେ ଆବେଦନକାରୀ ସେଥିରେ ସନ୍ତୁଷ୍ଟ ନହେବାରୁ ତହସିଲଦାର ଏପରି କ୍ଷେତ୍ରୀୟ ତଦନ୍ତ କରିଥିବା ଜଣାଯାଇଛି।
ଭଦ୍ରକରୁ ଦେବାଶିଷ ସାମନ୍ତରାୟ, ଇଟିଭି ଭାରତ