ଭଦ୍ରକ: ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ଅଭିଯୋଗରେ ରାସ୍ତା ଅବରୋଧ । ମୃତଦେହକୁ ରାସ୍ତା ଉପରେ ରଖି ଅବରୋଧ କଲେ ଗ୍ରାମବାସୀ। ଭଦ୍ରକ-ଆନନ୍ଦପୁର ରାସ୍ତାର ହାସିନପୁର ଛକ ନିକଟରେ ଏହି ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଣିଜାଙ୍ଗ ମଦ ଦୋକାନ ନିକଟରେ ଅଭିମନ୍ୟୁ ରାଉତ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମଦ କାଉଣ୍ଟର ନିକଟରେ ତାଙ୍କର ମୃତ୍ୟୁ ହୋଇଥିବାରୁ ବିଷାକ୍ତ ମଦ ପିଇବା ଯୋଗୁଁ ଅଭିମନ୍ୟୁଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ଅଣାଯାଇଥିଲା।
ବ୍ୟବଚ୍ଛେଦ ପରେ ମୃତଦେହକୁ ନିଆଯାଇ ମଦ କାଉଣ୍ଟରକୁ ହଟାଇବା ସହ କ୍ଷତିପୂରଣ ଦାବିରେ ଭଦ୍ରକ-ଆନନ୍ଦପୁର ରାସ୍ତାର ହାସିନପୁର ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଏନେଇ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।
ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ