ଭଦ୍ରକ: LGBTQଙ୍କ ଗୌରବର ଜୁନ ମାସ । LGBTQଙ୍କୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରାଯିବା ପରେ 1969 ଜୁନ 28 ତାରିଖ ଘଟଣାକୁ ମନେ ପକାଇ ସେମାନେ ଜୁନ ମାସକୁ ଗୌରବ ମାସ ଭାବେ ପାଳନ କରୁଛନ୍ତି । ଏନେଇ ଭଦ୍ରକ ଜିଲ୍ଲା ସଦର ମହକୁମା ଠାରେ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ କିନ୍ନର ମହାସଂଘ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ରେନବୋ ସ୍ୱାଭିମାନ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ କିନ୍ନର ମାନେ ନିଜର ଅଧିକାର, ଆତ୍ମସମ୍ମାନ, ସ୍ୱାଭାବିକ ସହ ଜୀବନ ଯାପନ କରିବା ପାଇଁ ଅନ୍ୟାନ୍ୟ ବର୍ଗଙ୍କୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାଇପାସ୍ ପର୍ଯ୍ୟନ୍ତ ଏକ ସ୍ବାଭିମାନ ପଦ ଯାତ୍ରା ଯୋଗ ଦେଇଥିଲେ ।
ତେବେ ଏମାନେ ନର ନୁହନ୍ତି କି ନାରୀ ମଧ୍ୟ ନୁହନ୍ତି । ଏମାନେ ହେଉଛନ୍ତି କିନ୍ନର । ଶରୀର ପୁରୁଷ ହୋଇଥିବା ବେଳେ ମନ କିନ୍ତୁ ନାରୀ ହୋଇଥାଏ । ଆଜି ବି ସମାଜରେ ଏମାନଙ୍କ ପ୍ରତି ଭିନ୍ନ ଦୃଷ୍ଟିକୋଣ ରହିଛି । ହେଲେ ତୃତୀୟ ଲିଙ୍ଗକୁ ମାନ୍ୟତା ମିଳିବା ପରେ ଏବେ କିନ୍ନରମାନେ ସ୍ୱାବଲମ୍ବୀ ହେବାରେ ଲାଗିଛନ୍ତି । କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । ତେବେ ଏହି ରେନବୋ ସ୍ଵାଭିମାନ ପଦଯାତ୍ରାର ଉଦ୍ଦେଶ୍ୟ ହେଲା, କିନ୍ନର ମାନଙ୍କୁ ସମସ୍ତଙ୍କ ଭଳି ବଞ୍ଚିବାର ଅଧିକାର ଯୋଗାଇ ଦେବା ସହ ସ୍ବାସ୍ଥ୍ୟ ସେବା, ଆଇନ୍ ସେବା, ଶିକ୍ଷା, ସାମାଜିକ ସୁରକ୍ଷା ବ୍ୟବସ୍ଥା, ବିଶେଷ କରି ବିବାହ ସମାନତା ଦିଗରେ ଅନ୍ତର୍ଭୁକ୍ତ କରାଇବା । କୋଣ ଅନୁକୋଣରେ କିନ୍ନର ସମାଜର ବ୍ୟକ୍ତି ବିଶେଷମାନେ ମିଳିତ ଭାବରେ ଯୌନତା ଓ ସ୍ଵପରିଚିତ ଲିଙ୍ଗଗତ ବିଭିନ୍ନତାକୁ ପାଳନ କରିବା ଉଦ୍ଦେଶ୍ୟରେ ସ୍ଵାଭିମାନ ପଦଯାତ୍ରା ଅନୁଷ୍ଠିତ ହୋଇଛି ବୋଲି ଅର୍ଦ୍ଧନାରୀ କିନ୍ନର ମହାସଂଘର ସଭାପତି କହିଛନ୍ତି ।
ପ୍ରକାଶ ଥାଉକି, ନ୍ୟୁୟର୍କର ଷ୍ଟୋନ ୱେଲ୍ ଠାରେ 1969 ଜୁନ 28 ତାରିଖ ଦିନ LGBTQଙ୍କ ବିରୋଧରେ ଆକ୍ରମଣ ଘଟଣାକୁ କେନ୍ଦ୍ର କରି ବ୍ୟାପକ ହିଂସା କାଣ୍ଡ ଘଟିଥିଲା । ତେବେ 1999 ମସିହା ଜୁନ ମାସରେ ଯୁକ୍ତ ରାଷ୍ଟ୍ର ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ପ୍ରଥମ ଥର ପାଇଁ LGBTQ ମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିବା ସହିତ ଜୁନ ମାସକୁ ଗୌରବ ମାସ ଭାବରେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ LGBTQ ମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିଥିଲେ। ତେଣୁ 1969 ଜୁନ 28 ତାରିଖ ଘଟିଥିବା ହିଂସା କାଣ୍ଡ ଯୋଗୁଁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିବା LGBTQ ମାନେ ପ୍ରତିବର୍ଷ ଜୁନ ମାସକୁ ଗୌରବର ମାସ ବୋଲି ପାଳନ କରୁଛନ୍ତି ।
ହେଲେ ଗୌରବ ମାସରେ ସେମାନଙ୍କର ପକ୍ଷ ତଥା ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ସମସ୍ତେ ସାମିଲ ହେବା ନେଇ ବ୍ୟବସ୍ଥା ରହିଛି । ତେଣୁ କେବଳ ଭଦ୍ରକ ନୁହେଁ, ସମଗ୍ର ବିଶ୍ୱରେ ଏହି ଜୁନ ମାସକୁ ଗୌରବର ମାସ ଭାବେ ପାଳନ କରାଯାଉଛି । ଏହି ମାସ ତମାମ LGBTQ ମାନେ ନାଚ, ଗୀତ, ମନୋରଞ୍ଜନାତ୍ମକ କାର୍ଯ୍ୟକ୍ରମ, ଶୋଭାଯାତ୍ରା, ସଚେତନତା ମୂଳକ କାର୍ଯ୍ୟକ୍ରମ ଆଦି କରିଥାନ୍ତି । ତେବେ 1978 ମସିହାରେ ଗିଲବର୍ଟ ବାରକର୍ ରେନବୋ ଫ୍ଳାଗ ଡିଜାଇନ କରିଥିଲେ । ତେବେ ସେହି ରେନବୋ ଫ୍ଳାଗକୁ ଧରି ଭଦ୍ରକ ଜିଲ୍ଲାରେ ବିଭିନ୍ନ କିନ୍ନର ମହାସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ରେନବୋ ସ୍ୱାଭିମାନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଦ୍ୟଯନ୍ତ୍ରର ତାଳେ ତାଳେ ନାଚ ଗୀତରେ ଝୁମିଥିଲେ ଏଠିକାର କିନ୍ନର ମାନେ ।
ଇଟିଭି ଭାରତ, ଭଦ୍ରକ