ଭଦ୍ରକ: ଜିଲ୍ଲାର ବାସୁଦେବପୁରର ଏକ ଅର୍ଡର ସପ୍ଲାୟର ଏଜେନ୍ସି ନାମରେ ଠକେଇ ଅଭିଯୋଗ । ଏନେଇ ସେଠାରେ ଥିବା ସାମଗ୍ରୀ ଗୁଡିକୁ ସିଜ କରିବା ପାଇଁ ପହଞ୍ଚିଥିଲେ ଉଚ୍ଚ ପଦସ୍ତ ଅଧିକାରୀ ।
ବାସୁଦେବପୁର ଥାନା ଅଧିକାରିଣୀ ମଧୁମିତା ମହାନ୍ତି, ବାସୁଦେବପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ ବେହେରା, ଅତିରିକ୍ତ ତହସିଲଦାର ରାଧାକାନ୍ତ ବାରିକ, ପୌରପାଳିକା କର୍ମଚାରୀ ଓ ପୋଲିସ ଉପସ୍ଥିତିରେ ଏହି ଅର୍ଡର ସପ୍ଲାୟର ଏଜେନ୍ସିର ଚାବି ଖୋଲି ସାମଗ୍ରୀ ଗୁଡିକୁ ପୋଲିସ ସିଜର ଲିଷ୍ଟ କରି ଗାଡିରେ ରଖୁଥିବା ବେଳେ ସେଠାରେ ଥିବା କିଛି ଲୋକ ପୋଲିସର ସିଜକୁ ବିରୋଧ କରିଥିଲେ ।
ପୋଲିସ ଲୋକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ପୋଲିସ ଲୋକ ମାନଙ୍କୁ ଘଉଡ଼ାଇ ଥିଲା ଓ ଲୋକମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ମଧ୍ୟ ଅଟକ କରିଥିଲା । କିଛି ସମୟ ପାଇଁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା ।
ଘଟଣାସ୍ଥଳରେ ଅଧିକ ଏକ ପ୍ଲାଟୁନ ପୋଲିସ ଓ ଚୁଡ଼ାମୁଣି ସାମୁଦ୍ରିକ ଥାନା ଅଧିକାରୀ ଓ ସାମୁଦ୍ରିକଥାନା ପୋଲିସ ପହଞ୍ଚି ଘଟଣାସ୍ଥଳରୁ ସମସ୍ତ ଲୋକଙ୍କୁ ଘଉଡାଇବା ସହ ଏହି ଏଜେନ୍ସିର ସମସ୍ତ ସାମଗ୍ରୀ ସିଜ କରି ବାସୁଦେବପୁର ଥାନାକୁ ଆଣିଥିଲେ । ସେପଟେ ଠକେଇ ଅଭିଯୋଗ ନେଇ ଅଧିକ ତଦନ୍ତ ଜାରି ରଖିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ